ବାଲେଶ୍ବର: ତୃତୀୟ ଶ୍ରେଣୀ ଛାତ୍ରୀ ପରିବା କାଟିବା ଘଟଣାକୁ ନେଇ ନିଲମ୍ବିତ ହୋଇଛନ୍ତି ପ୍ରଧାନଶିକ୍ଷୟତ୍ରୀ । ଚିଠି ନଂ 3567 ଆଧାରରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ବିଇଓ କବିତା ଜେନା । ନିଲମ୍ବିତ ପ୍ରଧାନଶିକ୍ଷୟତ୍ରୀ ହେଲେ ସଦର ବ୍ଲକ ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୌଶଲ୍ୟା ସେଠୀ ।
ସୂଚନାନୁସାରେ,ପ୍ରଧାନ ଶିକ୍ଷୟିତ୍ରୀ କୌଶଲ୍ୟା ସେଠୀ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ସିଏଲ ନଦେବା, ଦରମା ବନ୍ଦ କରିବା, ଉପସ୍ଥିତ ଥାଇ ମଧ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଅନୁପସ୍ଥିତ ପକାଇବା, ମଧ୍ୟାହ୍ନ ଭୋଜନରେ ପିଲା ଅନୁସାରେ ଅଧିକ ଉପସ୍ଥାନ ପକାଇବା, କୁନିକୁନି ପିଲାଙ୍କୁ ସ୍କୁଲକାର୍ଯ୍ୟରେ ନିୟୋଜିତ କରିବା, ଉନ୍ନୟନ ପାଣ୍ଠିର ଦୁରୂପଯୋଗ କରିବା ଭଳି ସଙ୍ଗୀନ ଅଭିଯୋଗ ତାଙ୍କ ନାଁରେ ହୋଇଥିଲା । ଏହାସହ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଆଳୁ କାଟିବାରେ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା । ଏ ସମସ୍ତ ଅଭିଯୋଗ କେନ୍ଦ୍ର କରି ବିଇଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ 27 ତାରିଖରୁ ନିଲମ୍ବିତ କରିଥିଲେ ମଧ୍ୟ ଗୁରୁବାର ବିଇଓ ଛୁଟିରେ ଥିବାରୁ 29 ତାରିଖରେ ତାଙ୍କ ପାଖକୁ ଚିଠି ପଠାଯିବ ବୋଲି କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ