ବାଲେଶ୍ବର: ବାଲେଶ୍ୱରର ଉପଜିଲ୍ଲାପାଳ କୁନାଲ ଚୌହାନ ମୋତିରାମଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ସଂଘବଦ୍ଧ ଭାବେ ବାଲି ମାଫିଆମାନେ ଆକ୍ରମଣ କରିବା ଯୋଗୁଁ ଉପଜିଲ୍ଲାପାଳଙ୍କ ସମେତ ଡ୍ରାଇଭର ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ, ବାଲେଶ୍ୱର ସହରର ଉପକଣ୍ଠ ଫୁଲାଡି ନିକଟରେ ବାଲି ମାଫିଆମାନେ ବେଆଇନ ଭାବେ ବୁଢ଼ାବଳଙ୍ଗ ନଦୀରୁ ବାଲି ଉତ୍ତୋଳନ କରି ଆସୁଥିଲେ । ଏହି ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ଚଢ଼ାଉ କରାଯାଇ ଯନ୍ତ୍ରପାତି ଜବତ କରିବାରୁ ବାହାରି ଥିଲେ ।
ସେସବୁ ଯନ୍ତ୍ରପାତି ଜବତ କରିବା ପାଇଁ ଉପଜିଲ୍ଲାପାଳ ମୋତିରାମ ଘଟଣାସ୍ଥଳକୁ ଯାଇଥିଲେ । ସେଠାରେ ଚାଲିଥିବା ବାଲି ଉତ୍ତୋଳନକୁ ବିରୋଧ କରିବା ସହ ସେଠାରେ ଛିଡା ହୋଇଥିବା ଟ୍ରକ, ଟ୍ରାକ୍ଟରକୁ ଅଟକାଇଥିଲେ । ହେଲେ କିଛି ସମୟ ସେଠାରେ ବାଲି ମାଫିଆ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହଠାତ୍ ମାଫିଆମାନେ ଉପ ଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଅଟକାଇବାକୁ ଯାଇ ଡ୍ରାଇଭର ମଧ୍ୟ ମାଡ଼ର ଶିକାର ହୋଇଥିଲେ । ଏଥିସହ ଉପ ଜିଲ୍ଲାପାଳ ଯାଇଥିବା ଅବକାରୀ ବିଭାଗର ଗାଡିକୁ ଭଙ୍ଗା ରୁଜା କରାଯାଇଛି । ଆହତ ଅବସ୍ଥାରେ ଉପ ଜିଲ୍ଲାପାଳ ଓ ଡ୍ରାଇଭର ବାଲେଶ୍ଵର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ଜାରି ରହିଛି ।
ତେବେ ଗଣ୍ଡଗୋଳ ପରେ ଫୁଲାଡିରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଖବର ପାଇ ଡାକ୍ତରଖାନାରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ୍ ସିନ୍ଦେ, ଏସ ପି ସାଗରିକା ନାଥ, ସଦର ଏସଡିପିଓ, ବିଧାୟକ ସ୍ୱରୂପ ଦାସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟି ସମସ୍ତ ଘଟଣା ବୁଝିଥିଲେ । ପରେ ଏସପି ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି । ଆଜି(ଶୁକ୍ରବାର) ମଧ୍ୟାହ୍ନରେ ଏହି ଘଟଣା ପରେ ସହରରେ ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର୍ ଧରିଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କୁ ରାତି ସୁଦ୍ଧା ଗିରଫ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏନେଇ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି , କାଲି(ଗୁରୁବାର) ଚୋରା ବାଲି ନେଇ ସୂଚନା ପରେ ସେଠାରେ ଚଢାଉ କରାଯାଇଥିଲା ଏଥିସହ ଯନ୍ତ୍ରପାତି ମଧ୍ୟ ଜବତ କରାଯାଇଥିଲା । ଏହାପରେ ଘଟଣା ସ୍ଥଳକୁ ଉପଜିଲ୍ଲାପାଳ ନିଜେ ଯାଇ ବାଲି ମାଫିଆଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ବାଲି ମାଫିଆ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ମାଫିଆମାନେ ଉପ ଜିଲ୍ଲାପାଳ ଓ ଡ୍ରାଇଭରଙ୍କୁ ପଥର ମାଡ କରିଥିଲେ । ଉଭୟ ଏହି ମରଣାନ୍ତକ ଆକ୍ରମଣରେ ଆହାତ ହୋଇଥିବା ଜଣାପଡିଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ଇଟିଭି ଭାରତ, ବାଲେଶ୍ବର