ବାଲେଶ୍ୱର: ଜିଲ୍ଲାର ବିଭିନ୍ନ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ଗୁରୁବାର ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍କୁଲ ବନ୍ଦ ହେଲେ ପିଲାମାନେ ଘର ପାଖରେ ଶିକ୍ଷାଦାନ ସୁବିଧାରୁ ବଞ୍ଚିତ ହେବେ ବୋଲି ମତ ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଅଲ ଇଣ୍ଡିଆ ଡିଏସଓ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ମିଳିତ ସ୍କୁଲ ସୁରକ୍ଷା ସମନ୍ୱୟ କମିଟି ଗଠନ କରାଯାଇ ଆନ୍ଦୋଳନ କରାଯାଉଛି । ଜିଲ୍ଲାର ଭୋଗରାଇ, ବାଲିଆପାଳ, ଜଳେଶ୍ୱର, ବସ୍ତା, ରେମୁଣା, ବାହାନଗା ଆଦି ବ୍ଲକରେ ଏହି ବିରୋଧ କରାଯାଇଛି । ଗୋଟିଏ ପଟେ ସରକାର ସ୍କୁଲରେ ପିଲା ସଂଖ୍ୟା କମ ଥିବା ଦର୍ଶାଇ ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଉଥିବାବେଳେ ଅନ୍ୟପଟେ ଅଭିଭାବକମାନେ ସ୍କୁଲ ବନ୍ଦ ନ କରିବା ପାଇଁ ଦାବି କରିଛନ୍ତି । ସରକାରଙ୍କ ଏମିତି ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ବୋଲି କୁହାଯିବା ସହ ରାଜ୍ୟ ସରକାର ଏ ଦିଗରେ ପୁନଃବିଚାର କରିବା ପାଇଁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ