ବାଲେଶ୍ୱର: ମର୍ମନ୍ତୁଦ ବାହାନଗା ରେଳ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ଵର ଗସ୍ତ କରିବେ । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ପାଇଁ ମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜ୍ଞାପନ ସହ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ରେଳମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବାଲେଶ୍ଵର ଜିଲ୍ଲା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରେଳମନ୍ତ୍ରୀଙ୍କୁ ଘେରିଛି ।
ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଛନ୍ତି,"୬୮ହଜାର କିଲୋମିଟିର ରେଲୱେ ଟ୍ରାକ୍ ବିଶିଷ୍ଟ ବୃହତ୍ତମ ରେଳବିଭାଗ । ପ୍ରତ୍ୟେକ ଦିନ ୨ କୋଟି ୨୫ ଲକ୍ଷ ଲୋକ ଯାତାୟତ ପାଇଁ ରେଳ ଉପରେ ନିର୍ଭରଶୀଳ । ତେବେ ଏହି ଗୁରୁତ୍ଵପୂର୍ଣ୍ଣ ରେଳ ମନ୍ତ୍ରାଳୟର ସ୍ଵତନ୍ତ୍ର ବଜେଟ ଉଚ୍ଛେଦ କରିବା ଏବଂ ଜଣେ ପୂର୍ବକାଳୀନ ରେଳ ମନ୍ତ୍ରୀ ନିଯୁକ୍ତି ନକରିବା ପଛରେ ମୋଦି ସରକାରଙ୍କର ଉଦ୍ଦେଶ୍ୟ କ’ଣ ? ଜୁନ୍ ୨ ତାରିଖ ସନ୍ଧ୍ୟା ୬ ରେ ବାହାନଗାରେ ଏହି ଭୟାବହ ଦୁର୍ଘଟଣା ଘଟିଥିଲେ ସୁଧା ମାତ୍ର ୧୩୦ କିଲୋମିଟର ଦୂରରେ ଥିବା ଖଡ଼ଗପୁର ଡିଭିଜନରୁ ରେଲୱେ ରେସ୍ ଟିମ୍ ଆସିବାକୁ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ କାହିଁକି ଲାଗିଲା । ଏହି ଅସମ୍ବେଦନଶୀଳ ଓ ଅସାବଧାନତା ପାଇଁ କିଏ ଦାୟୀ ? ମାର୍ଚ୍ଚ ୨୦୨୩ ଅର୍ଥାତ୍ ଠିକ୍ ତିନି ମାସ ଆଗରୁ ପାଲ୍ୟାମେଣ୍ଟାରି ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁଯାଇ ୨୦୧୭–୨୨ ମଧ୍ୟରେ ଘଟିଥିବା ୨୪୪ ଗୋଟି ଦୁର୍ଘଟଣା ମଧ୍ୟରୁ କେବଳ ତିନିଗୋଟି ଦୁର୍ଘଟଣାରେ ନୀତି ବିରୁଦ୍ଧ କାର୍ଯ୍ୟକୁ ଦର୍ଶାଯାଇଛି । ବାହାନଗା ରେଳ ଦୁର୍ଘଟଣା ଏତଲା ଅନୁଯାୟୀ ବେଅଇନ ଢଙ୍ଗରେ କୌଣସି କାର୍ଯ୍ୟଘଟି ନାହିଁ ବରଂ ଅସାବଧାନତାକୁ ଦର୍ଶାଇଛି । ତେବେ ଏଥିପାଇଁ ସିବିଆଇ ତଦନ୍ତ କାହିଁକି କରାଯାଉଛି ।"
ସେ ଆହୁରି ମଧ୍ୟ କହିଛନ୍ତି,"ଜୁନ ୪ ତାରିଖ ରେଳମନ୍ତ୍ରୀ ସକାଳ ୧୦ଟାରେ ମତ ରଖିଲେ ଯେ ଦୁର୍ଘଟଣା ଇଲେକ୍ଟ୍ରିକ ଇଣ୍ଟର ଲକିଂ ଚେଞ୍ଜ୍ ପାଇଁ ଘଟିଛି । କିନ୍ତୁ ଠିକ୍ ୭ ଘଣ୍ଟା ପରେ ପୁଣି ରେଳମନ୍ତ୍ରୀ ବୟାନ ଆସିଲା ରେଳବିଭାଗ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରୁଛି । ଏହି ୭ ଘଣ୍ଟା ମଧ୍ୟରେ ରେଳ ମନ୍ତ୍ରୀ ଓ ରେଳ ବିଭାଗ କ’ଣ ଏପରି ଜାଣିଲେ ଯେ ଘଟଣାର ସିବିଆଇ ତଦନ୍ତ ନିଷ୍ପତ୍ତି ନିଆଗଲା । ମନ୍ତ୍ରୀ ବୈଷ୍ଣବଙ୍କ ବାଲେଶ୍ଵର ପ୍ରତି ଯଦି ଏତେ ଦରଦ ଏଥିପାଇଁ ଏହି ରୁଟ୍ ପାଇଁ କବଚ ବାବଦରେ ୨୦୧୭ ମସିହାରୁ ୩୮୦ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହା କାହିଁକି କର୍ଯ୍ୟରେ ଲାଗି ନାହିଁ ?" ସିବିଆଇ ତଦନ୍ତ ଆଳରେ ଯୋଗ ଦିବସ ନାଁରେ ଏକ ବିଶାଳ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ନିଜର ପ୍ରଚାରରେ ଲାଗି ପଡ଼ିଥିବା କଂଗ୍ରେସ ଅଭିଯୋଗ କରିଛି ।
ଇଟିଭି ଭାରତ, ବାଲେଶ୍ବର