ବାଲେଶ୍ବର: ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଜରୁରୀକାଳୀନ ବୈଠକରେ ମୁକାବିଲା ସମ୍ପର୍କିତ ଆଲୋଚନା କରିଛି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ବିଦ୍ୟୁତ ବିଭାଗକୁ ଅଧିକ ସଜାଗ ରହିବା ସହ ଲୋକଙ୍କ ସୁରକ୍ଷା ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ଆଗାମୀ ସପ୍ତାହେ ପାଇଁ ମେଡିକାଲ ସେବାକୁ ଆହୁରି କ୍ରିୟାଶୀଳ କରିବା ଓ ଔଷଧ ବ୍ୟାପକ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।
ଅନ୍ୟପଟେ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାର ବନ୍ଦୋବସ୍ତ କରାଯାଇଛି । ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବା ପାଇଁ କୁହାଯାଇଛି । ଏହାସହ ମାଟି ଓ ଖାଲୁଆ ଜାଗାରେ ଥିବା ଲୋକମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ସଜାଡି ରଖିବା ପାଇଁ ପ୍ରସ୍ତୁତି ହୋଇଛି । ଯେଉଁମାନେ ହୋମ ଆଇସୋଲେସନରେ ରହିଛନ୍ତି, ସେମାନଙ୍କୁ ସ୍ଥାନାନ୍ତର ବେଳେ ବିଶେଷ ଧ୍ୟାନ ଦିଆଯିବା ସହ ସେମାନଙ୍କୁ ସ୍ୱତନ୍ତ୍ର ଘରେ ମଧ୍ୟ ରଖାଯିବା ନେଇ ପ୍ରସ୍ତୁତି କରାଯାଇଛି ।
ସେହିପରି ଓଡ୍ରାଫ ଓ ଏନଡ଼ିଆରଏଫ ଟିମ ସଜାଗ ହୋଇ ରହିଛନ୍ତି । ତେବେ ଏକ ପ୍ରକାର କହିବାକୁ ଗଲେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟାତି ନାୟକ, ଇଟିଭି ଭାରତ