ବାଲେଶ୍ବର: ବାଲେଶ୍ବର ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲି ନାହିଁ କି ? ଦଳ ଭିତରେ ରହିଛି କି ଗୋଷ୍ଠୀ କନ୍ଦଳ ? ଦଳୀୟ ନେତାଙ୍କ ମଧ୍ୟରେ ଅଛି କି ଫାଟ ? ବାଲେଶ୍ବରରେ ଫାଇବ୍ ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ସଭାରେ ଯାହା ଘଟିଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସଦର ବିଧାୟକଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ମହିଳା କାଉନସିଲର । ଥାନାରେ ଦେଇଛନ୍ତି ଏତଲା । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହୋଇଛନ୍ତି ଦ୍ବାରସ୍ଥ ।
ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ଏବଂ ତାଙ୍କର କିଛି ସହଯୋଗୀ, ମହିଳାମାନଙ୍କୁ ସମ୍ମାନ ଦେବାରେ ବ୍ୟତିକ୍ରମ କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା କାଉନସିଲର ରଞ୍ଜିତା ମହାପାତ୍ର । ଗତ ଜାନୁଆରି ୬ ତାରିଖରେ ବାଲେଶ୍ବର ମିଶନ ପଡ଼ିଆରେ ଅନୁଷ୍ଠିତ ୫ ଟି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସିଟ୍ ରୁ ଉଠାଇ ଦେବାକୁ ନେଇ, ବିଷ ଉଗାଳିିଛନ୍ତି ମହିଳା କାଉନସିଲର । ଏହାକୁ ନେଇ କାଉନସିଲର ରଞ୍ଜିତା ମହାପାତ୍ର ସହଦେବଖୁଣ୍ଟା ଥାନାରେ ଏତଲା ଦେଇଛନ୍ତି । ପରେ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସରେ 60 ପ୍ରାର୍ଥୀ ଫାଇନାଲ୍, ଫେବ୍ରୁଆରିରେ ଟିକେଟ୍ ବଣ୍ଟନ: ତାରା ବାହିନୀପତି
ଜାନୁଆରୀ ୬ ତାରିଖରେ ବାଲେଶ୍ବର ମିଶନ ପଡ଼ିଆରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ସାମିଲ ହୋଇଥିଲେ ବିଜେଡି ବିଧାୟକ, ମନ୍ତ୍ରୀ, କାଉନସିଲର ଏବଂ କର୍ମୀ । କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହିଳା କାଉନସିଲର ରଞ୍ଜିତା ମହାପାତ୍ର ଏବଂ ତାଙ୍କର କିଛି ସମର୍ଥକ । ମାତ୍ର ସଭାସ୍ଥଳରେ ବସିବାକୁ ନେଇ ସୃଷ୍ଟି ହୋଇଥିଲା ସମସ୍ୟା । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ କାଉନସିଲର ରଞ୍ଜିତା । ତାଙ୍କର ଅଭିଯୋଗ, କାର୍ଯ୍ୟକ୍ରମରେ ପହଞ୍ଚିବା ପରେ ମହିଳାମାନଙ୍କୁ ବସିବା ପାଇଁ ଚେୟାର ମିଳିନଥିଲା । ଏପରିକି ତାଙ୍କୁ ହାତ ଧରି ଉଠାଇ ଦିଆଯାଇଥିଲା । ସଦର ବିଧାୟକ ସ୍ବରୂପ ଦାସଙ୍କ ନିକଟତର ଲୋକ ତଥା ବିଧାୟକଙ୍କ ପ୍ରତିନିଧି ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ରଞ୍ଜିତା ।
ଏହାମଧ୍ୟ ପଢ଼ନ୍ତୁ: ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ବର୍ଷିଲେ କାଉନସିଲର୍:
କାଉନସିଲରଙ୍କ ଅଭିଯୋଗ, ଏହାଦ୍ବାରା ମହିଳାମାନଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇଛି । ଏହି ଘଟଣାକୁ ନେଇ ୪ ଜଣଙ୍କ ନାଁରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରଞ୍ଜିତା । ପରେ ରଞ୍ଜିତାଙ୍କ ନେତୃତ୍ବରେ ବିଜୁ ଜନତା ସମର୍ଥିତ କିଛି ମହିଳା ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେମାନେ ସଦର ବିଧାୟକ ହାଏ ହାଏ, ନାରା ଦେବାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ମହିଳାମାନଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କାଉନସିଲର ରଞ୍ଜିତା ମହାପାତ୍ର ।
ବିଧାୟକଙ୍କ ସ୍ପଷ୍ଟୀକରଣ:
କାଉନସିଲର ଏବଂ ମହିଳାମାନଙ୍କ ଅଭିଯୋଗକୁ ସିଧା ସଳଖ ଖଣ୍ଡନ ନ କଲେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସଦର ବିଧାୟକ ସ୍ବରୂପ ଦାସ । ସେ କହିଛନ୍ତି, ଏ ସଂପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । କେଉଁ ପରିସ୍ଥିତିରେ ମହିଳାମାନଙ୍କୁ ଏପରି ବ୍ୟବହାର କରାଗଲା, ତା ଉପରେ ତର୍ଜମା କରାଯିବ । ବିଧାୟକ ପାଲଟା ପ୍ରଶ୍ନ କରିଛନ୍ତି ଯେ, ଯେଉଁମାନେ ଏଭଳି ତଥ୍ୟ ଆଣିଛନ୍ତି, ସେମାନେ ହିଁ ସଠିକ୍ ଉତ୍ତର ଦେଇପାରିବେ । ତେବେ ବିଜୁ ଜନତା ଦଳରେ କୌଣସି ଫାଟ କିମ୍ବା ଗୋଷ୍ଠୀ କନ୍ଦଳ ନାହିଁ ବୋଲି କହିଛନ୍ତି ବିଧାୟକ ।
ବିଜେଡିର ସ୍ଲୋଗାନ, ମାଆକୁ ସମ୍ମାନ ଏବଂ ଗାଁକୁ କାମ । ବାଲେଶ୍ବର ସଭାରେ ମହିଳାମାନଙ୍କୁ ଅସମ୍ମାନ ଅଭିଯୋଗ ଘଟଣା ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲେଶ୍ବର ବିଜେଡିରେ ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କିଛି କର୍ମୀଙ୍କ ପାଇଁ ବିଧାୟକଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସୁଥିବା କୁହାଯାଉଥିବା ବେଳେ, ଏହାକୁ ବିଧାୟକ କେତେ ମାତ୍ରାରେ ସୁଧାରି ପାରୁଛନ୍ତି, ତା ଉପରେ ରହିଛି ନଜର ।
ଇଟିଭି ଭାରତ, ବାଲେଶ୍ବର