ବାଲେଶ୍ବର: ବାଲେଶ୍ବର ଟାଉନ ଥାନା ଅଧିନ ଗୋଳପୋଖରୀ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ଗୋଷ୍ଠୀର ଲୋକେ ପରସ୍ପର ଉପରେ ପ୍ରବଳ ପଥର ମାଡ କରିଛନ୍ତି । ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇଥିବା କିଛି ପୋଲିସ କର୍ମୀ ଆକ୍ରମଣର ଶିକାର ହୋଇଛନ୍ତି । ଗୋଷ୍ଠୀ ସଂଘର୍ଷ ସମୟରେ ପୋଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ ହେଁ ପରିସ୍ଥିତି ଶାନ୍ତ ପଡିନଥିଲା । ଓଲଟା ପଥର ମାଡରେ ପୋଲିସ କର୍ମୀ ଆହତ ହୋଇଥିଲେ । ଜଣେ ଆଇଆଇସିଙ୍କ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଗଣ୍ଡଗୋଳ ହୋଇଥିଲା ।
ସୂଚନା ଅନୁସାରେ, ଗୋଳାପୋଖରୀ ଅଞ୍ଚଳରେ କୌଣସି କାରଣରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଟାଉନ ପୋଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ପରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଯେଉଁଥିପାଇଁ ପୋଲିସ ବାଧ୍ୟ ହୋଇ ମୃଦୁ ଲାଠି ଚାଳନା କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲା । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ସବୁପ୍ରକାର ଚେଷ୍ଟା କରିଥିଲା । ହେଲେ ଗଣ୍ଡଗୋଳ ଥମି ନଥିଲା ବରଂ ଦୁଇଗୋଷ୍ଠୀ ପରସ୍ପର ଉପରେ ପ୍ରବଳ ଟେକା ପଥର ମାଡ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀର ଅନେକ ଲୋକ ଆହତ ହୋଇଥିଲେ ।
ସେହିପରି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା କେତେକ ପୋଲିସ କର୍ମୀ ମଧ୍ୟ ପଥର ମାଡରେ ଆହତ ହୋଇଥିଲେ । ଜଣେ ଆଇଆଇସିଙ୍କ ସମେତ ଚାରି ଜଣ ପୋଲିସ କର୍ମଚାରୀ ଏହି ଗୋଷ୍ଠୀ ସଂଘର୍ଷରେ ଆହତ ହୋଇଥିବା ଖବର ମିଳିଛି । ଏନେଇ ପୋଲିସ ଅଧିକ ସକ୍ରିୟ ହୋଇଯାଇଛି । ଗଣ୍ଡଗୋଳର ସୂତ୍ରପାତ ଓ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଚଳାଇଛି । ଏହାରି ଭିତରେ ଘଟଣା ସମ୍ପର୍କରେ ଟାଉନ ଥାନା ଆଇଆଇସି ପର୍ଶୁରାମ ସାହୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।
ଏହାମଧ୍ୟ ପଢନ୍ତୁ: ମେଳଣ ଚାଲିଥିବା ବେଳେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଦର୍ଶକ, ଜଳିଗଲା ଦୁଇ ବଖରା ଘର
ଇଟିଭି ଭାରତ, ବାଲେଶ୍ବର