ବାଲେଶ୍ବର: ଠିକା କର୍ମଚାରୀଙ୍କୁ ରାଜ୍ୟ ସରକାର ସ୍ଥାନୀ ନିଯୁକ୍ତି ଦେବା ପରେ ଉଠିଲା ଦାବି (Demand of Outsourcing Employees In Odisha)। ଆଉଟସୋର୍ସିଂ ପ୍ରଥା ଉଚ୍ଛେଦ ଲାଗି ମଧ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଘ ଦାବି କରିଛି (Outsourcing Employees In Odisha Waiting For Regularization) । ଏଥିଲାଗି ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବାବେଳେ ଏକ ବୈଠକ କରି ଏ ନେଇ ଆଲୋଚନା କରିଛନ୍ତି ।
ଆଉଟସୋର୍ସିଂ କର୍ମଚାରୀମାନେ ସ୍ବଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଦିନରାତିକୁ ଏକ କରି କାମ କରୁଥିବାବେଳେ, ସେମାନଙ୍କ ପ୍ରତି ସରକାରୀ ଉଦାସୀନତା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଆଉଟସୋର୍ସିଂ ପ୍ରଥାର ବିଲୋପ ଏବଂ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିୟମିତ କରିବା ଦିଗରେ ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
ଏହା ବି ପଢନ୍ତୁ- ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ
ଜିଲ୍ଲାର ସରକାରୀ ଅଫିସରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀମାନଙ୍କର ଆର୍ଥିକ ଏବଂ ମାନସିକ ସ୍ତରରେ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ସେ ବିଷୟରେ ଆଲୋଚନା କରାଯାଇ ଆନ୍ଦୋଳନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଗତ ୧୫ ତାରିଖରେ ରାଜ୍ୟ ସରକାର ରାଜ୍ୟରୁ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିଥିଲେ । ଫଳରେ ୫୭ ହଜାରରୁ ଅଧିକ ଠିକା କର୍ମଚାରୀ ସରକାରୀ କର୍ମଚାରୀ ଭାବେ ନିୟୋଜିତ ହୋଇଥିଲେ । ଏଥିଲାଗି ରାଜକୋଷରୁ ୧୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ମଧ୍ୟ ହେବ । ଏ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ତେବେ ଏହି ଠିକା ନିଯୁକ୍ତି ଉଚ୍ଛେଦ ପରେ ସମସ୍ତ କର୍ମଚାରୀଙ୍କୁ ନିଷ୍ଠାର ସହିତ କାର୍ଯ୍ୟ କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଦାୟିତ୍ବ ପାଳନ କରିବା ସମୟରେ 5T ଉପକ୍ରମ ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଓ ଟ୍ରାନ୍ସଫରମେସନକୁ ଅନୁସରଣ କରିବା ସହ ଓଡି଼ଶାର ରୂପାନ୍ତରରେ ନିଜର ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହି କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ଘୋଷଣା ପରେ ଠିକା ନିଯୁକ୍ତି କର୍ମଚାରୀଙ୍କ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ବାଲେଶ୍ବର