ବାଲେଶ୍ବର: ଜିଲ୍ଲାର ବାଲିଆପାଳ ଥାନା ଅଧୀନ ସୁନ୍ଦୁରକୋଇଲି ଗ୍ରାମର ବଳରାମ ପାତ୍ରଙ୍କ 7 ବର୍ଷର ନାବାଳିକା ଝିଅ ବିଷ୍ଣୁପ୍ରିୟା ହତ୍ୟା ଘଟଣାର ଅଧିକ ତଦନ୍ତ ପାଇଁ ଓଡିଶା ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗର ଏକ ଟିମ ବୁଧବାର ସୁନ୍ଦରକୋଇଲି ଗାଁରେ ପହଞ୍ଚିଛନ୍ତି । ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ସମେତ ସଦସ୍ୟା ଦିବ୍ୟା ଶାଶ୍ବତ, ବାଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀ, ବାଲିଆପାଳ ଥାନାଧିକାରୀ ବିମଳ ନାୟକ ପ୍ରମୁଖ ନାବାଳିକାର ମାମୁଁ ଘରେ ପହଞ୍ଚି ପରିବାର ଏବଂ ସାହି ପଡିଶାଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ।
ବଳରାମ ପାତ୍ରଙ୍କ ସାତ ବର୍ଷର ଝିଅ ବିଷ୍ଣୁପ୍ରିୟା ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ । ଗତ ଶୁକ୍ରବାର ସେ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ପରେ ସୋମବାର ସକାଳେ ପୋଖରୀ ହୁଡ଼ାରୁ ନାବାଳିକା ମୃତଦେହ ଜବତ କରାଯାଇଥିଲା । ପୋଲିସର ତଦନ୍ତ ପରେ ନାବାଳିକାଙ୍କ ମାଇଁ ଓ ଅନ୍ୟ ଜଣେ ସମ୍ପର୍କୀୟ ମାମୁଁଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ବିଷୟରେ ଝିଅଟି ଜାଣି ପାରିଥିବାରୁ ଘଟଣାକୁ ଲୁଚାଇବାକୁ ଯାଇ ସେମାନେ ତାକୁ ହତ୍ୟା କରିଥିବା ଜଣାପଡିଥିଲା । ଏହାପରେ ପୋଲିସ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କାେର୍ଟ ଚାଲାଣ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ