ବାଲେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି । ଜନଜୀବନ ଅସ୍ତବ୍ୟସ୍ତ । ଏଭଳି ସମୟରେ ଅଂଶୁଘାତ ଜନିତ ମୃତ୍ୟୁ ଖବର ବଢିବାରେ ଲାଗିଛି । ବାଲେଶ୍ବର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ଜଣେ ମହିଳାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି।
ସୂଚନା ମୁତାବକ, ଭୋଗରାଇ ଥାନା ଅନ୍ତର୍ଗତ କଖଡା ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ବିଷ୍ଣୁପ୍ରିୟା ବେହେରା ଗତକାଲି ଅପରାହ୍ନରେ ବିଲକୁ ଧାନ କାଟିବାକୁ ଯାଇ ଫେରି ନଥିଲେ । ସନ୍ଧ୍ୟାରେ ବହୁ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତିରେ ତାଙ୍କୁ ଧାନ ଜମିରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।
ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଅଂଶୁଘାତରେ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଭୋଗରାଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ