ବାଲେଶ୍ଵର: ଯୌତୁକ ଜୁଇରେ ଜଳିଲା ଆଉ ଏକ ନବବଧୂ । ବିଷ ପିଇ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଜଣେ ନବବଧୂ ଶେଷରେ ଆଖିବୁଜିଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ଵର ସଦର ଥାନା ଅଧିନ ବାଙ୍ଗରା ଗ୍ରାମର ତ୍ରୈଲୋକ୍ୟ ପାତ୍ରଙ୍କ ଝିଅ ଗାୟତ୍ରୀ, ନୀଳଗିରି ଥାନା ସନ୍ତରାଗଡ଼ିଆ ଅଞ୍ଚଳର ପ୍ରେମାନନ୍ଦ ମହାନ୍ତିଙ୍କ ପୁଅ ପ୍ରତ୍ୟୁଶଙ୍କୁ ବିବାହ କରିଥିଲେ । ଏହି ବର୍ଷ ଫେବୃୟାରୀ ମାସ 21 ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ବିବାହ ପର ଠାରୁ ଗାୟତ୍ରୀଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଶାଶୁଘର ନିର୍ଯାତନା ସହିନପାରି ଗାୟତ୍ରୀ କିଛିଦିନ ତଳେ ବିଷ ପିଇଦେଇଥିଲେ ।
ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ପରିବାର ପକ୍ଷରୁ ପୂର୍ବରୁ ନୀଳଗିରି ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଘଟଣାର ସମାଧାନ ପାଇଁ ଆଲୋଚନା ହୋଇଥିଲା । ମାତ୍ର ଆଜି(ଶୁକ୍ରବାର) ଗାୟତ୍ରୀଙ୍କ ମୃତ୍ୟୁ ପରେ ନୀଳଗିରି ପୋଲିସ ସ୍ୱାମୀ ପ୍ରତ୍ୟୁଷଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ