ବାଲେଶ୍ୱର: କଡାକଡି କାର୍ଯ୍ୟକାରୀ ହେବ ମୋଟର ଯାନ ସଂଶୋଧନ ଆଇନ। ଚଳିତ ମାସ ପହିଲାରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ସଦଭାବନା ସଭା ଗୃହରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିବା ସହ ଜିଲ୍ଲାରେ ନୂତନ ଆଇନର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ।
ଏହି ଆକ୍ଟର ବିଭିନ୍ନ ଧାରା ଏବଂ ଉପଧାରା ଦ୍ୱାରା କରାଯାଇଥିବା ଦଣ୍ଡ ବିଧାନ ଉପରେ ସଚେତନ କରାଯାଇଥିଲା । ନୂତନ ଆଇନ ସମ୍ପର୍କରେ ପୋଷ୍ଟର, ବ୍ୟାନର ଓ ଲିଫଲେଟ ଦ୍ୱାରା ଲୋକଙ୍କୁ ସଚେତନ କରାଯିବ ବୋଲି ଜଣାପଡିଛି। ଉପସ୍ଥିତ ଥିବା ବିଭିନ୍ନ ସଙ୍ଗଠନକୁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏସପି ବି ଯୁଗଳ କିଶୋର କୁମାର ଓ ଆରଟିଓ ବିକାଶ ଚୌଧୁରୀ ଉପସ୍ଥିତ ରହି ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ