ବାଲେଶ୍ୱର: ଜିଲ୍ଲା ଖଇରା ଥାନା ଅଧିନ ଗଡ଼ପୋଖରୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦାଦା ଓ ପୁତୁରାଙ୍କୁ ଦୁବୃର୍ତ୍ତଙ୍କ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ଦାଦା ପୁତୁରା ହେଲେ ଅନ୍ତର୍ଯ୍ୟାମୀ ଦଳେଇ ଓ ଅକ୍ଷୟ କୁମାର ଦଳେଇ । ଆହତ ଦାଦା ଓ ପୁତୁରାଙ୍କୁ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନା ବଦ୍ଧ ଭାବେ ଗଡ଼ପୋଖରୀ ଗ୍ରାମର ଅନ୍ତର୍ଯ୍ୟାମୀ ଦଳେଇ (୪୦)ଙ୍କ ଘର ନିକଟରେ ତାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ପାଟି ଶୁଣି ଅନ୍ତର୍ଯ୍ୟାମୀ ଘରୁ ବାହାରି ଆସି ତାଙ୍କୁ କାହିଁକି ଗାଳି କରୁଛ ବୋଲି ପଚାରିବାରୁ ପୂର୍ବ ଯୋଜନା ମୁତାବକ ଏକ ଭୁଜାଲି ସାହାଯ୍ୟରେ ଦୁର୍ବୃତ୍ତ ମାନେ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ ।
ଚିତ୍କାର ଶୁଣି ତାଙ୍କର ଦାଦା ଅକ୍ଷୟ କୁମାର ଦଳେଇ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତ ମାନେ ତାଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଛନ୍ତି । ଉଭୟଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ ଏବଂ ଯିବା ସମୟରେ ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା ଧମକ ଦେଇଥିଲେ ।
ସୂଚନାଯୋଗ୍ୟ କିଛିଦିନ ତଳେ ଦୁର୍ବୃତ୍ତ ମାନେ ତାଙ୍କ ଘରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ଦେଖି ପାଟି କରିବାରୁ ସେମାନେ ସେଠାରୁ ଖସି ପଳାଇଥିଲେ। ଏ ନେଇ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ 2ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଏହି ଆକ୍ରମଣ ପଛରେ ରାଜନୈତିକ ଆକ୍ରୋଶ ଥିବା ସନ୍ଦେହ କରାଯାଉଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ