ବାଲେଶ୍ଵର: ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ବେଆଇନ ବାଲି ଉତ୍ତୋଳନ ଉପରେ ରୋକ ଲଗାଇବା ପାଇଁ ଯାଇଥିବାବେଳେ ତାଙ୍କ ଉପରେ ବାଲି ମାଫିଆମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ଉପଜିଲ୍ଲାପାଳଙ୍କ ସମେତ ଗାଡି ଡ୍ରାଇଭର ଆହତ ହୋଇଥିଲେ । ଏହି ଘଟଣାକୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ବେଶ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେଉଛି । ଘଟଣାରେ ସଂପୃକ୍ତ ସମୁଦାୟ ୩୦ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୧ ଜଣ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ।
ବାଲେଶ୍ବର ଉପଜିଲ୍ଲାପାଳଙ୍କୁ ଆକ୍ରମଣ ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପୁରା ସକ୍ରିୟ ହୋଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ରାତାରାତି ୫ଟି ଟିମ ଗଠନ କରାଯାଇଥିଲା । ଯେଉଁଥିରେ ସହଦେବଖୁଣ୍ଟା ଥାନା ଓ ଟାଉନ ଥାନା ଆଇଆସିଙ୍କ ତତ୍ତ୍ବାବାଧାନରେ ବାଲେଶ୍ଵର ସମେତ ୫ଟି ଟିମ ଜଳେଶ୍ବର, ଚାନ୍ଦିପୁର, ଭଦ୍ରକ ଆଦି ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଆକ୍ରମଣକାରୀଙ୍କ ମଧ୍ୟରେ ୩୦ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ କରିବା ପାଇଁ ଗଠନ ହୋଇଥିବା ଟିମର ନେତୃତ୍ବ ନେଇଥିଲେ ବାଲେଶ୍ଵର ଏସ୍ପି ସାଗରିକା ନାଥ । ସେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ବେଆଇନ ବାଲି ଉତ୍ତୋଳନ ମାମଲାରେ ସମୁଦାୟ ୧୭ଟି କେସ ରୁଜୁ ହୋଇଛି ।
ଏହା ମଧ୍ୟ ପଢ଼ନ୍ତୁ..ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ
ଏଥିପାଇଁ ମଧ୍ୟ ପୂର୍ବାଞ୍ଚଳ ଆଇଜି ଓ ଏସ୍ପିଙ୍କ ନେତୃତ୍ବରେ ଅପରେସନ ସ୍ୟାଣ୍ଡଷ୍ଟ୍ରମ୍ ଆରମ୍ଭ କରିଛି ଜିଲ୍ଲା ପୋଲିସ । ଏହି ଅପରେସନ ମାଧ୍ୟମରେ ଜିଲ୍ଲାର ସମସ୍ତ ଏସଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ବେଆଇନ ବାଲି ଠାରୁ ଆରମ୍ଭ କରି ବେଆଇନ ଭାବେ ହୋଇଥିବା ନିର୍ମାଣକୁ ଭାଙ୍ଗିବା ସହ ସେଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ । ପ୍ରଥମେ ବେଆଇନ ସ୍ଥାନ ଚିହ୍ନଟ ପରେ ବାଲେଶ୍ଵର ପୋଲିସ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯେଉଁଥିରେ ଅପରାଧୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବା ସହ ଆର୍ଥିକ ଦଣ୍ଡ ମଧ୍ୟ ଦିଆଯିବ । ଏହି ଅପରେସନ ମାଧ୍ୟମରେ ଆଜି ଫୁଲାଡି ଅଞ୍ଚଳରେ ଥିବା ବିଭିନ୍ନ ବେଆଇନ ଇଟା ଭାଟି ଭଙ୍ଗା ଯାଇଛି । ଏହାସହ ଏହି ପଦକ୍ଷେପ ଅନୁଯାୟୀ ନୀଳଗିରି ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିବା ୬ଟି ଟ୍ରାକ୍ଟର ଓ ଗୋଟିଏ ଟିପ୍ପର ଜବତ କରାଯାଇଛି ।
ପ୍ରକାଶ ଥାଉକି, ବାଲେଶ୍ବର ସହରର ଉପକଣ୍ଠ ଫୁଲାଡି ନିକଟରେ ବାଲି ମାଫିଆମାନେ ବେଆଇନ ଭାବେ ବୁଢ଼ାବଳଙ୍ଗ ନଦୀରୁ ବାଲି ଉତ୍ତୋଳନ କରି ଆସୁଥିଲେ । ଏହି ଅଭିଯୋଗ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ଚଢ଼ାଉ କରାଯାଇ ଯନ୍ତ୍ରପାତି ସିଜ କରାଯାଇଥିଲା । ସେସବୁ ଯନ୍ତ୍ରପାତି ଜବତ କରିବା ପାଇଁ ଉପଜିଲ୍ଲାପାଳ ମୋତିରାମ ଘଟଣାସ୍ଥଳକୁ ଯାଇ ସେଠାରେ ଚାଲିଥିବା ବାଲି ଉତ୍ତୋଳନକୁ ବିରୋଧ କରିବା ସହ ସେଠାରେ ଛିଡା ହୋଇଥିବା ଟ୍ରକ, ଟ୍ରାକ୍ଟରକୁ ଅଟକାଇଥିଲେ । କିଛି ସମୟ ସେଠାରେ ବାଲି ମାଫିଆ ଓ ଉପଜିଲ୍ଲାପାଳଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହଠାତ୍ ମାଫିଆମାନେ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ଅଟକାଇବାକୁ ଯାଇ ଡ୍ରାଇଭର ମଧ୍ୟ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ।
ଇଟିଭି ଭାରତ, ବାଲେଶ୍ବର