ବାଲେଶ୍ଵର: ନୀଳଗିରି ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ । ଟେକା ପଥର ମାରି ଛଡାଇନେଲେ ଜବତ ହୋଇଥିବା ଡମ୍ଫର ଓ ଜେସିବି ।

ନୀଳଗିରି ତହସିଲ ଅଧିନ କାଠପାଳ ପୋଲ ନିକଟ ପୁନ୍ଦାଳ ସୋନ ନଦୀଘାଟରୁ ବୁଧବାର ରାତିରେ ନୀଳଗିରି ପ୍ରଶାସନ ମିଳିତ ଚଢାଉ କରିଥିଲା । ଚଢାଉରେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ତହସିଲଦାର ଅଶେଷ କୁମାର ନାୟକ ଓ ପୋଲିସ ଫୋର୍ସ ସାମିଲ ହୋଇଥିଲେ ।

ମିଳିତ ଚଢାଉରେ ଘଟଣାସ୍ଥଳରୁ ଦୁଇଟି ଡମ୍ଫର, ଗୋଟିଏ ଜେସିବି ଓ ଗୋଟିଏ ଲୋଡର ଜବତ ହୋଇଥିବାବେଳେ ଘଟଣାସ୍ଥଳରୁ ଜେସିବି ଷ୍ଟାର୍ଟ ହୋଇନଥିଲା । ଏହା ଦେଖିବା ପରେ ମାଫିଆମାନେ ସରକାରୀ କର୍ମଚାରୀଙ୍କ ଉପରକୁ ଟେକା ପଥର ମାରିଥିଲେ । ଫଳରେ ବାଧ୍ୟ ହୋଇ ଘଟଣାସ୍ଥଳରେ ଜେସିବି ଛାଡି ଚାଲିଆସିଥିଲେ ଏମାନେ ।

ସେପଟେ ଅନ୍ୟ ତିନୋଟି ଗାଡିକୁ ଆଣି ନୀଳଗିରି ଫେରିବା ସମୟରେ ଗାଡି ମାଲିକ ଅଧ ରାସ୍ତାରେ ଗୋଟିଏ ଡମ୍ଫର ଛଡାଇ ନେବାରେ ସକ୍ଷମ ହୋଇଥିଲା । ଶେଷରେ ଗୋଟିଏ ଡମ୍ଫର ଓ ଗୋଟିଏ ଲୋଡର ଜବତ କରି ଥାନାରେ ଜିମା ଦିଆଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ