ବାଲେଶ୍ବର: ଜିଲ୍ଲାରେ ନୂତନ ଶିଳ୍ପ ସଂସ୍ଥାର କୌଣସି ପ୍ରୋତ୍ସାହନ ନଥିବାରୁ ନିଯୁକ୍ତି କ୍ଷେତ୍ର ବନ୍ଦ ହେବା ସହ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ବନ୍ଦ ହୋଇପଡିଛି । ଏହାକୁ ନେଇ ବାଲେଶ୍ଵରର ବିଭିନ୍ନ ଅନୁଷ୍ଠାନ ଓ ସାମାଜିକ କର୍ମୀମାନେ ଏକଜୁଟ ହୋଇଛନ୍ତି । ବନ୍ଦ ପଡ଼ିଥିବା ଶିଳ୍ପର ପୁନଃକାର୍ଯ୍ୟକ୍ଷମ ଓ ନୂଆ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଗତ ୧୪ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ମୁଖ୍ୟତଃ ବିର୍ଲା ଟାୟାର୍ସ ଓ ଇସ୍ପାତ ଆଲଏଜ ପୁନଃ କାର୍ଯ୍ୟକ୍ଷମ ନେଇ ଦାବି ଜୋର ଧରିଛି । ବର୍ତ୍ତମାନ ଏହାକୁ ନେଇ ଏବେ ମୁହଁ ଖୋଲିଛି ହିନ୍ଦ ମଜଦୂର ସଭା ।
ଏନେଇ ହିନ୍ଦ ମଜଦୂର ସଭାର ସଭାପତି କହିଛନ୍ତି,"ଯେଉଁ ଦୁଇଟି କମ୍ପାନୀ ପାଇଁ ଆମରଣ ଅନଶନ ଚାଲିଛି ସେଥିପାଇଁ ଶ୍ରମିକ ସଂଗଠନ ପକ୍ଷରୁ ବିଗତ ଦିନ ମାନଙ୍କରେ ଅନେକ ଆନ୍ଦୋଳନ କରାଯାଇଛି । ଦୀର୍ଘ ୨୪ ମାସ ଧରି ବନ୍ଦ ଥିବା ବିର୍ଲା ଟାୟାରର୍ସକୁ ଖୋଲିବା ପାଇଁ ସରକାର ଏବଂ ସମସ୍ତ ଶ୍ରମିକ ସଂଗଠନ ବିଭିନ୍ନ ପ୍ରକାର ଆନ୍ଦୋଳନ ଓ ସରକାରୀ ସ୍ତରରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶ୍ରମ ମନ୍ତ୍ରୀ ରାଜ୍ୟ ସରକାରଙ୍କର ବରିଷ୍ଠ ଅଫିସର, ଶ୍ରମ ବିଭାଗ, ବିର୍ଲା ଟାୟାର୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କର ଖାମଖିଆଲ ମନୋଭାବ ବୃତ୍ତି ଓ ଫ୍ୟାକ୍ଟ୍ରିକୁ ନଚଳାଇବା ଭଳି ଟାଳଟୁଳି ନୀତି ଅବଲମ୍ବନ କରିଥିଲେ। ଏଥିପାଇଁ ଆଗାମୀ ଦିନରେ ବିର୍ଲା ଟାୟାର୍ସ ନିଲାମ ହୋଇ ଅନ୍ୟ ଏକ ମାଲିକାନାକୁ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ହସ୍ତାନ୍ତର ହେବାସହ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ । "
ସେହିପରି ଇସ୍ପାତ ଆଲଏଜରେ ପ୍ରାୟ 75 ପ୍ରତିଶତ କର୍ମଚାରୀ ଯୋଗଦେଇ କାର୍ଯ୍ୟ କରୁଛନ୍ତି । ଆସନ୍ତା 20 ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗୀକରଣ ହେଲେ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦିଆଯାଇଛି । ଗୋଟିଏ ପଟେ ଆମରଣ ଅନଶନ ଚାଲିଥିବା ବେଳେ ଅନ୍ୟପଟେ ଶ୍ରମିକ ସଂଗଠନ ପକ୍ଷରୁ ଏମିତି ସୂଚନା ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ବାଲେଶ୍ବର