ବାଲେଶ୍ଵର : ନୀଳଗିରି ଅଞ୍ଚଳରୁ ଏକ ବିରଳ ପ୍ରଜାତିର 11 ଫୁଟିଆ ଅହିରାଜ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ଖବର ଅନୁଯାୟୀ ଏହି ସାପକୁ ଉଦ୍ଧାର କରିଛି ବନବିଭାଗ ।
ସୂଚନା ଅନୁସାରେ, ନୀଳଗିରି ନିକଟସ୍ଥ ଛୋଟକାନପୁର ଗ୍ରାମରେ ଥିବା ଭାରତ ଗ୍ୟାସ ଗୋଦାମ ସମ୍ମୁଖର ଜୈନିକ ବ୍ୟକ୍ତିଙ୍କ ଠାକୁରଘର ନିକଟରେ ଶୋଇଥିଲା ସାପ । ବ୍ୟକ୍ତିଙ୍କ ପରିବାର ଲୋକ ହଠାତ ୧୧ ଫୁଟିଆ ଅହିରାଜ( କିଙ୍ଗ କୋବ୍ରା) ସାପ ଦେଖି ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ । ନୀଳଗିରି ୱାଇଲ୍ଡ ଲାଇଫ ୱାର୍ଡନର ପ୍ରକାଶ ମର୍ଦରାଜ ଓ ସହଯୋଗୀ ଜଗବନ୍ଧୁ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି କୂଳଡ଼ିହା ଅଭୟାରଣ୍ୟରେ ଛାଡିଥିବା ଜଣାପଡିଛି।
ସାପଟି ଖାଦ୍ୟ ଅନ୍ବେଷଣରେ ଦେବଗିରି ପାହାଡ଼ରୁ ଖସିଆସି ଗାଁରେ ପଶିଥିବା କରିଥିବା ଅନୁମାନ କରାଯାଉଛି । ଏଭଳି ଅହିରାଜ ବିଶ୍ବର ବହୁ ବିଷଧର ସାପ ଭିତରୁ ଗୋଟିଏ ବୋଲି ମନାଯାଏ । ଏହା ବହୁ କମ ଦେଖିବାକୁ ମିଳିଥାଏ ବୋଲି ଜଣାପଡିଛି । ତେବେ ଗତ 3 ବର୍ଷ ଭିତରେ ନୀଳଗିରି କୂଳଡିହା ନିକଟବର୍ତ୍ତୀ ଅଞ୍ଚଳରୁ ଏମିତି 16 ଟି ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ