ବାଲେଶ୍ୱର: ଠିକାଦାରଙ୍କୁ ପିସି ମାଗି ହରଡଘଣାରେ ବିଧାୟକ । ଜିଲ୍ଲାର ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ନାମରେ ଦିଆଯାଇଛି ଏତଲା । ଖାଲି ସେତିକି ନୁହେଁ ପ୍ରତି କାର୍ଯ୍ୟାଦେଶ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ପାଖରୁ ସମୁଦାୟ ମୂଲ୍ୟର 5 ପ୍ରତିଶତ ଟଙ୍କା ପିସି ଆକାରରେ ନେଉଥିବା ଠିକାଦାର ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ଘଟଣାର ପ୍ରମାଣ ସ୍ବରୂପ ତାଙ୍କ ପାଖରେ ଅଡିଓ କ୍ଲିପ ଥିବା ଠିକାଦାର କହିଛନ୍ତି ।
ଠିକାଦାରଙ୍କ ଅଭିଯୋଗ ଅନୁଯାୟୀ, ଜଳେଶ୍ବର ବ୍ଲକ ବାଗପୁଞ୍ଜି ହାଇସ୍କୁଲର କୋଠାଘର ନିର୍ମାଣ ପାଇଁ ଠିକାଦାର ଲୋକନାଥ ଜେନା 20 ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ପାଇଥିଲେ । 10 ତାରିଖ ଦିନ ଠିକାଦାର ଶ୍ରମିକଙ୍କୁ ନେଇ ସ୍କୁଲରେ ପହଞ୍ଚିଲା ବେଳକୁ କାର୍ଯ୍ୟର ଶୁଭ ଉଦଘାଟନ ପାଇଁ ବିଧାୟକ ଅଶ୍ୱିନୀ ପାତ୍ର ସେଠାରେ ଉପସ୍ଥିତ ଥିଲେ । ଠିକାଦାରଙ୍କୁ ଦେଖି ହଠାତ ବିଧାୟକ ଚିଡି ଉଠିଥିଲେ । ତାଙ୍କ ବିଧାୟକ ପାଣ୍ଠିକାମ ବାଣ୍ଟିବାରେ ଠିକାଦାର ବାଧା ଦେଉଥିବା କହିବା ସହ ତାଙ୍କୁ ନାନା ପ୍ରକାର ଅଶ୍ଳୀଳ ଭାଷାରେ ବିଧାୟକ ଗାଳିଗୁଲଜ କରିଥିଲେ ।
ଏମିତିକି ସବୁ ଠିକାଦାର ବିଧାୟକଙ୍କୁ 5 ପ୍ରତିଶତ ପିସି ଦେଉଥିବା ବେଳେ ଏ କାର୍ଯ୍ୟ ପାଇଁ କାହିଁକି ଟଙ୍କା ଦିଆ ଯାଇନାହିଁ ବୋଲି ବିଧାୟକ ଠିକାଦାରଙ୍କୁ ପଚାରିଥିଲେ । ସନ୍ଧ୍ୟା ସୁଦ୍ଧା 2 ଲକ୍ଷ ଟଙ୍କା ବିଧାୟକଙ୍କ ମଧ୍ୟସ୍ଥି ସରକାରୀ କର୍ମଚାରୀ ତରଣୀ ଭୂୟାଁଙ୍କୁ ଦେବା ପାଇଁ ବିଧାୟକ ତାଗିଦ କରିଥିଲେ । ଟଙ୍କା ସନ୍ଧ୍ୟା ସୁଦ୍ଧା ନ ପହଞ୍ଚିଲେ ଆଗାମୀ ଦିନରେ କୌଣସି କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ । ଏହାସହ ବିଧାୟକଙ୍କ ନିଷ୍ପତ୍ତି ବିରୋଧରେ ଗଲେ ଜୀବନରୁ ମାରିଦେବାର ଧମକ ଖୋଦ ବିଧାୟକ ଅଶ୍ୱିନୀ ପାତ୍ର ଠିକାଦାରଙ୍କୁ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ।
ଏହା ପୂର୍ବରୁ ସରକାରୀ କର୍ମଚାରୀ ତରଣୀ ଭୂୟାଁ ଲୋକନାଥଙ୍କୁ ପିସି ଦେବା ପାଇଁ ଫୋନ ଯୋଗେ କହୁଥିବାର ଅଡିଓ ରେକର୍ଡିଂ ଲୋକନାଥଙ୍କ ପାଖରେ ରହିଛି । ମାନସିକ ସ୍ତରରେ ବିଧାୟକ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରି ରାଷ୍ଟ୍ରପତିଙ୍କ ପାଖରେ ଲୋକନାଥ ଇଛା ମୃତ୍ୟୁ ଆବେଦନ କରିଥିବା କହିଛନ୍ତି । ତେବେ ଏହା ବିଷୟରେ ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି ଯେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । କୌଣସି ପ୍ରକାର ଗାଳିଗୁଲଜ କରିବା କିମ୍ବା ଜୀବନରୁ ମାରିଦେବା କଥା ମିଛ । ଏଥିରେ କୌଣସି ସତ୍ୟତା ନାହିଁ ଏବଂ ଏହା ତାଙ୍କୁ ବଦନାମ କରିବା ପାଇଁ ଏକ ଚାଲ ବୋଲି ସେ କହିଛନ୍ତି ।
ତେବେ ବିଧାୟକ ଠିକାଦାରଙ୍କୁ ପିସି ମାଗିବା କିଛି ନୂଆ କଥା ହୋଇନଥିବା ବେଳେ ଠିକ ନିର୍ବାଚନର ବିଗୁଲ ବାଜିବା ବେଳକୁ ଏମିତି ଏକ ଅଭିଯୋଗ ଉଠିବା ଭିତରେ କିଛି ରହସ୍ୟ ଅଛି ବୋଲି ସନ୍ଦେହ କରାଯାଉଛି । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଟିକେଟ କଟିବା କଥା ନେଇ ଏକ ଅଡିଓ ଭାଇରାଲ ହେବା ପରେ ଏବେ ପୁଣି ପିସି ମାଗିବା ଅଭିଯୋଗ ରାଜନୈତିକ ଆକ୍ରୋଶ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଘଟଣାର ସତ୍ୟାସତ୍ୟ ଉପଯୁକ୍ତ ତଦନ୍ତ ପରେ ହିଁ ଜଣାପଡିବ । ମାତ୍ର ବିଧାୟକ ଏହି ଘଟଣାକୁ ନେଇ ଏବେ ହରଡଘଣାରେ ପଡିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ