ବାଲେଶ୍ବର: ଲୋକଙ୍କ ପାଇଁ କାଳ ସାଜୁଛି ଶିଳ୍ପ ସଂସ୍ଥା । କାରଖାନାରୁ ନିର୍ଗତ ବର୍ଜ୍ୟ ପାଣି ନଦୀର ମିଶି ଚାଷୀଙ୍କ ଜୀବିକା ଉଜାଡୁଛି । କେମିକାଲ ମିଶା ପାଣି ଯୋଗୁଁ ନଦୀରେ ମାଛଗୁଡିକୁ ମରିଯାଉଥିବାବେଳେ ଏହି ପାଣି ପିଇ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଛି । ରାଜ୍ୟରେ ବିକାଶ କ୍ଷେତ୍ରରେ ଶିଳ୍ପର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବା ବେଳେ ବିକାଶ ପଛରେ ଅନେକ କ୍ଷତି ସହୁଛନ୍ତି ସାଧାରଣ ଲୋକେ । ବାଲେଶ୍ବର ଜିଲ୍ଲାରୁ ଏଭଳି କିଛି ଅଭିଯୋଗ ଆସିଛି । ରେମୁଣା ଅଞ୍ଚଳରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡିକ ଗାଇଡ଼ ଲାଇନ ଉଲ୍ଲଙ୍ଘନ କରିବା ସହ ପରିବେଶ ପ୍ରଦୂଷଣର ଏକ ପ୍ରମୁଖ କାରଣ ସାଜିଥିବା ଅଭିଯୋଗ ହୋଇଛି ।
ବାଲେଶ୍ବର ଜିଲ୍ଲା ରେମୁଣା NAC ସ୍ଥିତ ୧ନମ୍ବର ଓ୍ବାର୍ଡ ବାଲଗୋପଳପୁରରେ ଏକ ବୃହତ ଶିଳ୍ପ କାରଖାନା ରହିଛି । ଉକ୍ତ ଶିଳ୍ପ କାରଖାନାରୁ ବାହାରୁ ଥିବା କେମିକାଲ ମିଶା ପଚା, ସଢା ବର୍ଜ୍ୟବସ୍ତୁ ସିଧାସଳଖ ନୂଆପଡ଼ା ସିରେଇପୁର ଗ୍ରାମ ଦେଇ ସୋନ ନଦୀରେ ମିଶୁଛି । ଯେଉଁ କାରଣରୁ ନଦୀ ଜଳ ବିଷାକ୍ତ ହେଉଛି । ସିରେଇପୁର ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି । କାରଖାନାର ବିଷାକ୍ତ ପାଣିରେ ସେମାନଙ୍କର ଏକର ଏକର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଶିଳ୍ପ କାରଖାନା ମାଲିକମାନେ ମାଟିତଳୁ ଲକ୍ଷ ଲକ୍ଷ ଲିଟର ଜଳ ଉଠାଇ ନିଜ କାର୍ଯ୍ୟରେ ଲଗାଉଥିବାରୁ ଗ୍ରାମର ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏଥିପାଇଁ ଏବେ ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି ।
ବାଲେଶ୍ଵରରେ ଗଢି ଉଠିଥିବା ବୃହତ୍ତମ ଶିଳ୍ପ ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିର ଆଶା ଦେଖାଇ ଥିଲା । କିନ୍ତୁ ଆଜି ଗ୍ରାମର ହାତ ଗଣତି କିଛି ଯୁବକ ଓ ଯୁବତୀଙ୍କୁ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେଇ ଅନ୍ୟ ଯୋଗ୍ୟତା ଥିବା ପିଲାମାନଙ୍କ ପ୍ରତି ଶିଳ୍ପ ସଂସ୍ଥା ଅବେହଳା କରିଥିବା ଅଭିଯୋଗ ହୋଇଛି । ବିକାଶ ଆଳରେ ସାଧାରଣ ଲୋକ ହୀନସ୍ତା ହେଉଥିବାବେଳେ ସତେ ଯେମିତି ସେମାନଙ୍କ ସମସ୍ୟା ଉପରେ କାହାରି ନଜର ପଡୁନି ।
ଶିଳ୍ପ ସଂସ୍ଥାଗୁଡିକ ଲୋକଙ୍କ ସୁରକ୍ଷା ନେଇ ଯତ୍ନବାନ ନଥିବା ଅଭିଯୋଗ ହୋଇଛି । ସିଧାସଳଖ କେମିକାଲ ମିଶି ପାଣି ଓ ବର୍ଜ୍ୟବସ୍ତୁ ନଦୀ ଜଳରେ ମିଳିବା ଯୋଗୁଁ ଲୋକମାନଙ୍କ ନିତିଦିନିଆ ଜୀବନ ଉପରେ ପ୍ରଭାବ ପଡୁଛି । ଶିଳ୍ପ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହ ଏ ବିଷୟରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ । କେବେ ଏହି ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ବାଲେଶ୍ବର