ବାଲେଶ୍ବର: ଜଳେଶ୍ବର ପୋଲିସକୁ ମିଳିଛି ବଡ ସଫଳତା । ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ପାଇବା ପରେ ପୋଲିସ ଚଢାଉ କରି 8 ଟି ବେଆଇନ ବାଲି ବୋଝେଇ ଟ୍ରକ ସହ 8 ଜଣ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ବର ଏସଡିପିଓ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ବେଆଇନ ବାଲି ଖାଦାନରୁ ବାଲି ଉଠାଣ କରାଯାଇ ବିଭିନ୍ନ ଜାଗାକୁ ଟ୍ରାକ୍ଟର ଏବଂ ଟ୍ରକ ମାଧ୍ୟମରେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା ।
ଏହାକୁ ନେଇ ଗତ 25ରେ ବାଲେଶ୍ବର ଆଇଜି ଦିପ୍ତେଶ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବେଆଇନ ବାଲି ଚୋରା ଚାଲାଣକୁ ରୋକିବା ପାଇଁ ଜଳେଶ୍ବରର ବିଭିନ୍ନ ଜାଗାରେ ବାଲି ବୋଝେଇ ଟ୍ରକ ଗୁଡିକୁ ଚେକ କରାଯାଇଥିଲା।
ସେଥିମଧ୍ୟରୁ 8 ଟି ବେଆଇନ ବାଲି ବୋଝେଇ ଟ୍ରକକୁ ଜଳେଶ୍ବର ପୋଲିସ ଜବତ କରିଥିଲା। ଏଥିସହ 8 ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଏହି ବେଆଇନ ବାଲି ଚାଲାଣକୁ ରୋକିବା ପାଇଁ ଏହିପରି ଚଢଉ ଜାରି ରହିବ ବୋଲି ଜଳେଶ୍ବର ଏସଡିପିଓ ସୁଦର୍ଶନ ଦାସ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ