ବାଲେଶ୍ବର: ସରକାରୀ ବାସଭବନରେ ଚୋରା ବିଦ୍ୟୁତ ସଂଯୋଗ । ବାଲେଶ୍ଵର ଜିଲ୍ଲା ନୀଳଗିରି ଗ୍ରାମ୍ୟଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ-୨ଙ୍କ ସରକାରୀ ବାସ ଭବନକୁ ଚୋରାରେ ବିଦ୍ୟୁତ ଚାଲାଣ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାକୁ ପର୍ଦ୍ଦାଫାଶ କରିଛି ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ।
ନୀଳଗିରି ସହରରେ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ଏହି ଚଢାଉରେ ବେଆଇନ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ଏହି ପ୍ରକ୍ରିୟା ଚାଲୁଥିବା ବେଳେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ-୨ ହୃଦାନନ୍ଦ ବେହେରାଙ୍କ ସରକାରୀ ବାସଭବନକୁ ଉପଭୋକ୍ତା ନହୋଇ ବେଆଇନ ଭାବେ ବିଦ୍ୟୁତ ନେବା ଓ ଏସି ଚଲାଇବା ନେଇ ବିଦ୍ୟୁତ ବିଭାଗର ଭିଜିଲାନ୍ସ ଦେଖିବାକୁ ପାଇଥିଲେ। ଏହାପରେ ଏହି ସରକାରୀ ବାସଭବନରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି । ଆଇନ ଅନୁସାରେ ଯନ୍ତ୍ରୀଙ୍କ ଉପରେ ଫାଇନ ଆଦାୟ କରାଯିବ ବୋଲି ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ