ବାଲେଶ୍ବର: ଦିବ୍ୟାଙ୍ଗଙ୍କୁ ପରିହାସ କରିବା ଘଟଣାରେ ଏସପିଙ୍କୁ ଭେଟିଲେ ଆଇଏଚଆରସି । ବାଲେଶ୍ଵର ଜିଲ୍ଲା ଗୋପାଳପୁର ବଜାରରେ ଦୁଇଜଣ ମାନସିକ ରୋଗୀଙ୍କୁ ବିବାହ କରାଇ ପରିହାସ କରିବା ଘଟଣାରେ ଶୁକ୍ରବାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆନ୍ତର୍ଜାତିକ ମାନବାଧିକାର ପରିଷଦର ଏକ ଟିମ ବାଲେଶ୍ଵର ଏସପିଙ୍କୁ ଭେଟିଛନ୍ତି।
ଦୁଇ ଦିବ୍ୟାଙ୍ଗଙ୍କୁ ନେଇ ଏମିତି ମଜା କରିବା ଓ ସେମାନଙ୍କୁ ଫୁଲମାଳ ପକାଇ ବଜାର ବୁଲାଇବା ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ପରିଷଦ କହିଛି। ସମାଜରେ ଥିବା ଭିନ୍ନକ୍ଷମଙ୍କ ପ୍ରତି ଭଲ ବ୍ୟବହାର ପ୍ରଦର୍ଶନ କରିବା ବଦଳରେ ସେମାନଙ୍କୁ ଲଜ୍ଜିତ କରାଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି। ଘଟଣାକୁ ଏତେଦିନ ବିତିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ନେଇ ପରିଷଦ ପ୍ରଶ୍ନ ଉଠାଇଛି। ତେବେ ଏସପିଙ୍କୁ ଭେଟିବା ପରେ ଏ ଦିଗରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଥାଉକି, ଗତ ଡିସେମ୍ବର 24 ତାରିଖରେ ଗୋପାଳପୁର ବଜାରରେ ଦୁଇ ଦିବ୍ୟାଙ୍ଗଙ୍କୁ ଫୁଲମାଳ ପିନ୍ଧାଇ ବିବାହ କରାଯିବା ସହ ଉଭୟଙ୍କୁ ବଜାର ବୁଲାଇ ସେମାନଙ୍କ ଟିକଟକ ଭିଡିଓ ତିଆରି କରାଯାଇଥିଲା । ଯେଉଁ ଟିକଟକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା । ତେବେ ଭିନ୍ନକ୍ଷମଙ୍କୁ ନେଇ ଏମିତି ପରିହାସ କରୁଥିବା ଦୃଶ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ