ବାଲେଶ୍ବର: ଜିଲ୍ଲାରେ ଚାଞ୍ଚଲ୍ୟ । ସ୍ତ୍ରୀକୁ ପିଟିପଟି ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଡା ପଞ୍ଚାୟତ ଛତ୍ରପୁର ଗ୍ରାମରେ । ସ୍ତ୍ରୀକୁ ବାଡ଼ିରେ ପିଟି ସ୍ୱାମୀ ହତ୍ୟା କରିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର କୁନି ସିଂ ଓ ସ୍ବାମୀ ବୀର ସିଂ ନିକଟ କଳାଶୁଣି ଛକରେ ଥିବା ମଦ ଦୋକାନକୁ ମଦ ପିଇବା ପାଇଁ ଯାଇଥିଲେ । ଅତ୍ୟଧିକ ମଦ୍ୟପାନ ପରେ ଉଭୟଙ୍କ ମଧ୍ୟରେ ମାଡପିଟ ଓ ଝଗଡା ହୋଇଥିଲା । ଯାହା ଫଳରେ ସ୍ୱାମୀ ବୀର ସ୍ତ୍ରୀକୁ ବାଡ଼ି ଓ ଛତା ବେଣ୍ଟରେ ପିଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ସ୍ତ୍ରୀକୁ ଘୋଷାରି ଘୋଷାରି ବିଲ ମଝିରେ ଫିଙ୍ଗି ପଳାଇଯାଇଥିଲା । ଏନେଇ ଆଜି ସକାଳେ ବିଲ ମଝିରେ କୁନି ସିଂର ମୃତଦେହ ପଡିଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ଖବରଶୁଣି ଘଟଣା ସ୍ଥଳରେ ଦେଖଣାହାରୀଙ୍କ ଭିଡ ଜମିଥିଲା । ଖବର ପାଇ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସ୍ୱାମୀ ବୀରକୁ ଅଟକ ରଖିଛି ।
ଅନ୍ୟପଟେ ଘଟଣା ସ୍ଥଳରେ ମୃତଦେହ ପଡିଥିବା ବେଳେ ବାଲେଶ୍ଵର ସାଇଣ୍ଟିଫିକ ଟିମ ତଦନ୍ତ କରିବା ନେଇ ସୂଚନା ମିଳିଛି । ତେବେ ଅନେକ ସମୟରେ ମଦ ସଂସାର ଉଜାଡୁଥିବା ଅଭିଯୋଗ ହେଉଥିବା ବେଳେ ଏବେ ପୁଣି ଏହି ଘଟଣା ପାଇଁ ମଦକୁ ହିଁ ଦାୟୀ କରାଯାଇଛି । ଗାଁ ଗାଁରେ ଚୋରାମଦ ବେପାରୀଙ୍କ ସଂଖ୍ୟା ବଢୁଥିବା ବେଳେ ନିରୀହ ଆଦିବାସୀମାନେ ଏଥିରେ ବଳି ପଡୁଛନ୍ତି । ଗାଁ ଗହଳିରେ ବିଶେଷ କରି ଦେଶୀ ମଦ କାରବାର ଓ ବିଷାକ୍ତ ମଦ କାରବାର ଯୋଗୁଁ ଅନେକ ସମୟରେ ବହୁ ସଂସାର ଉଜୁଡି ଯାଉଛି । ଏହାରି ଭିତରେ ସେହି ମଦ ପିଇବା ପରେ ସ୍ବାମୀ ସ୍ତ୍ରୀ ଭଳି ଏକ ପବିତ୍ର ସମ୍ପର୍କ ଆଜି ରକ୍ତ ରଞ୍ଜିତ ହୋଇଛି । ମଦ ପାଇଁ ଶେଷରେ ଏକ ସଂସାର ଭାଙ୍ଗି ଯାଇଛି । ତେବେ ଏ ଦିଗରେ ପ୍ରଶାସନିକ ସ୍ତରରେ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।
ପ୍ରକାଶ ଥାଉକି, ସେହିପରି ମୟୂରଭଞ୍ଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ଛେଳିଆବି ଗ୍ରାମରେ କୌଣସି ଏକ କଥାକୁ ନେଇ ସ୍ତ୍ରୀକୁ ହାଣିବା ପରେ ଜୀବନ ହାରିଛି ସ୍ବାମୀ । ଛେଳିଆବି ଗ୍ରାମରେ ରହୁଥିବା ବେହେରା ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ଥିବା ବେଳେ ଅନେକ ବାର ସେମାନେ ଝଗଡା ଲାଗୁଥିଲେ । ତେବେ ମଙ୍ଗଳବାର ପୂର୍ବାହ୍ନ ସମୟରେ ସ୍ତ୍ରୀ ମିନତୀ ଘରେ ରୋଷେଇ କରୁଥିବା ବେଳେ ପୁଣି ସ୍ବାମୀ ପ୍ରଶାନ୍ତଙ୍କ ସହ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ରାଗରେ ଉତ୍ୟକ୍ତ ହୋଇ ହଠାତ ସ୍ୱାମୀ ପ୍ରଶାନ୍ତ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀ ମୀନତିକୁ ପଛ ପଟୁ ଆକ୍ରମଣ କରିଥିଲେ । ମିନତୀଙ୍କ ବେକ ଓ ହାତ କଟି ଯାଇଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ଚିତ୍କାର କରି ତଳେ ପଡି ଯାଇଥିଲେ । ଘରେ ଥିବା ତାଙ୍କ ସାନପୁଅ ରମାକାନ୍ତ ମାଆଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ବାପାଙ୍କୁ ଆକ୍ରମଣ କରିବାରୁ ଅଟକାଇ ଥିଲେ । ମିନତୀକୁ ଆକ୍ରମଣ କରି ସାରି ସ୍ବାମୀ ପ୍ରଶାନ୍ତ ଅନ୍ୟତ୍ର ପଳାଇ ଯାଇଥିଲେ ।
ସେପଟେ ଉକ୍ତ ଘଟଣା ପରେ ସ୍ବାମୀ ପ୍ରଶାନ୍ତଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ଖବର ପାଇ ବଡ଼ସାହି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତଙ୍କ ମୃତଦେହକୁ ଉଦ୍ଧାର କରି ବାରିପଦା ପିଆରଏମ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ମିନତୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବାରିପଦା ବଡ଼ ମେଡିକାଲରେ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଏହାକୁ ନେଇ ବଡ଼ସାହି ଥାନା ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।
ଇଟିଭି ଭାରତ, ବାଲେଶ୍ବର