ବାଲେଶ୍ବର: ବୃଦ୍ଧାବସ୍ଥା ଏକ ସମୟ ଯାହା ମଣିଷର ଶରୀର ସହ ମାନସିକତା ସ୍ତରରେ ମଧ୍ୟ ଦୁର୍ବଳ କରି ପକାଇଥାଏ। ଏହି ସମୟରେ ଯଦି ରୋଗ ମାଡିବସେ ତେବେ ମଣିଷ ଆହୁରି ଦୁର୍ବଳ ହେବାସହ ନିଇତି ସଂଘର୍ଷ କରି ବଞ୍ଚିବାକୁ ପଡ଼ିଥାଏ। ସବୁକିଛି ଠିକଠାକ ଚାଲିଥିବା ବେଳେ ହଠାତ ପକ୍ଷାଘାତରେ ଆକ୍ରାନ୍ତ ହେବାପରେ ଏବେ ବିଛଣାରୁ ବି ଉଠିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ଦେହରେ ଟିକିଏ ବି ବଳ ନାହିଁ କିଛି କରିବାକୁ। ଏହାରି ଭିତରେ ସୁସ୍ଥ ଜୀବନ ଯାପନ କରିବାକୁ ଇଚ୍ଛା ରଖିଛନ୍ତି ସେ। ମାତ୍ର ଏବେ ପକ୍ଷାଘାତ ପାଇଁ ଚିକିତ୍ସା ଆବଶ୍ୟକ ହେଉଥିବା ବେଳେ ଅର୍ଥ ସାଜୁଛି ବାଧକ। ଆମେ କହୁଛୁ ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଖଗଡାପାଳ ଗ୍ରାମର ବାସନ୍ତୀ ଜେନାଙ୍କ ପରିବାରର କଥା ।
ବାସନ୍ତୀଙ୍କୁ ପକ୍ଷାଘାତ ହୋଇ ସେ ଘାଣ୍ଟି ହେଉଥିବା ବେଳେ ପରଘରେ ମୂଲ ଲାଗି ପରିବାର ପୋଷୁଥିବା ବୋହୂଙ୍କୁ କର୍କଟ ଭଳି ରୋଗ ମାଡ଼ି ବସିଛି । ଯେଉଁଥିପାଇଁ ଏହି ପରିବାର ଏବେ ଦୁଇ ଓଳି ମଧ୍ୟ ଖାଇବାକୁ ପାଉ ନାହାଁନ୍ତି। ବୟସ ୮୦ ଟପିଲାଣି ତଥାପି ସୁସ୍ଥ ଥିଲେ। କାମ ଦାମ କରି ପରିବାର ପୋଷୁଥିଲେ। ମାତ୍ର ୨ବର୍ଷ ହେଲା ପାରାଲିସିସରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି ସେ। ବାସ ସେହି ଦିନଠୁ ଛିଣ୍ଡା କତରା ତାଙ୍କର ସାଥୀ ପାଲଟିଯାଇଛି। ସେହିଥିରେ ଦିନ ରାତି ପଡି ରହୁଛନ୍ତି ଆଉ ଜଳ ଜଳ କରି ଚାହିଁ ରହୁଛନ୍ତି। ବୋହୂ ଲକ୍ଷ୍ମିପ୍ରିୟା ଜଣେ ଦିନ ମଜୁରିଆ । ପର ଘରେ କାମ କରି ଯାହା କିଛି ରୋଜଗାର କରି ଆଣୁଥିଲେ ସେଥିରେ ପରିବାର ଚଳିବା ସମେତ ରୋଗୀଣା ବାସନ୍ତିଙ୍କ ଔଷଧ ଖର୍ଚ୍ଚ ବି ତୁଲାଉଥିଲେ।
ଏହା ବି ପଢନ୍ତୁ- ସହଯୋଗ ପ୍ରୋଜେକ୍ଟ ଜରିଆରେ ଲାଗିଲା ସିସିଟିଭି, ଆହୁରି 30 ଟି ସ୍ଥାନରେ ଲାଗିବ
ତେବେ ଏତିକି କଷ୍ଟ ଦେଇ ବୋଧହୁଏ ଭଗବାନ ସନ୍ତୁଷ୍ଟ ନଥିଲେ। ଆଉ ଗୋଟେ ବଡ ରୋଗ ଲଦିଦେଲେ ବାସନ୍ତୀଙ୍କୁ ବଞ୍ଚାଇ ରଖିଥିବା ବୋହୂ ଲକ୍ଷ୍ମିପ୍ରିୟାଙ୍କ ଉପରେ। ସେ ଏବେ କର୍କଟ ରୋଗରେ ପୀଡିତ ହୋଇ ବର୍ଷେ ହେଲା ରୋଗ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି । ପୂର୍ବରୁ ଭୋକ ଉପାସରେ ଦିନ କାଟୁଥିବା ଏହି ପରିବାର ବୋହୂ ଲକ୍ଷ୍ମିପ୍ରିୟାଙ୍କ ଦେହ ଖରାପ ହେବା ଦିନଠାରୁ ଘରେ ଚୁଲି ଜଳିବା କଷ୍ଟ ହୋଇଯାଇଛି। କେତେବେଳେ ଅନାହାର ତ କେତେବେଳେ ଅର୍ଥାହାରରେ ଜୀବନ ବିତୁଛି ଏମାନଙ୍କର। ବୋହୂ ଲକ୍ଷ୍ମିପ୍ରିୟାଙ୍କ ସ୍ବାମୀ କେବେଠୁ ଛାଡି ଚାଲିଯିବା ପରେ ୩ ଝିଅଙ୍କୁ ମାଗି ଯାଚି ବିବାହ କରାଇଥିଲେ ।
ଏହି ଅସହାୟ ପରିବାର ପାଖରେ ନା ରହିବାକୁ ଅଛି ଭଲ ଘର ନା ଖାଇବାକୁ ଅଛି ଭାତ ଗଣ୍ଡେ। ତେଣୁ କେବଳ ଶେଷ ସମୟକୁ ଅପେକ୍ଷା କରି ପଡି ରହି ଭାଗ୍ୟକୁ ନିନ୍ଦିବା ଛଡା ଆଉ କିଛି ରାସ୍ତା ହିଁ ନାହିଁ। ଜଣେ ନଣନ୍ଦ ବେଳେ ବେଳେ ଆସି ସେମାନଙ୍କ କଥା ଟିକେ ବୁଝନ୍ତି। ମାତ୍ର ସେଥିରେ ଲାଘବ ହୁଏନାହିଁ କଷ୍ଟ। ଏହି ପରିବାରର ଏମିତି ଦୁଃଖ କଷ୍ଟ ସମ୍ପର୍କରେ ଜଳେଶ୍ବର ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ଧଳଙ୍କୁ ଖବର ଦେଇଥିଲେ ।
ଏହାପରେ ସଙ୍ଗଠନର ସଦସ୍ୟମାନେ ପହଞ୍ଚି ସେମାନଙ୍କୁ ସାତ ହଜାର ଟଙ୍କାର ଆର୍ଥିକ ସହାୟତା ଓ କିଛି ମାସ ଚଳିବା ପାଇଁ ରାସନ ସାମଗ୍ରୀ, ପନିପରିବା ସହିତ ପରିବାରକୁ ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି । ଯଦି ଏହି ଅସହାୟ ପରିବାରକୁ କେହି ସହୃଦୟ ବ୍ୟକ୍ତି କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କର ବ୍ଯାଙ୍କ ଆକାଉଣ୍ଟ ନମ୍ବରରେ ଆର୍ଥିକ ସାହାଯ୍ଯ କରିପାରିବେ।
ଆପଣ ଯଦି ଏହି ଅସହାୟ ପରିବାରକୁ ସାହାଯ୍ୟ କରିବାକୁ ଚାହାଁନ୍ତି, ତେବେ ନିମ୍ନଲିଖିତ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇ ପାରିବେ ।
ACCOUNT DETAILS
A/C - HOLDER - LAKSHMIPRIYA JENA
A/C - 421534006001675
IFSC CODE - IOBAOROGBO1
BANK - ODISHA GRAMYA BANK
BRANCH - BALIAPAL
MOBILE - 8093700565
ଇଟିଭି ଭାରତ, ବାଲେଶ୍ବର