ବ୍ୟାଧି ସାଜିଲାନି ବାଧକ, କୁଷ୍ଠରୋଗୀଙ୍କ ସୁଖର ସଂସାର - happy family of leprosy patients
ବ୍ୟାଧି ଅଟକାଇ ପାରିନି ପ୍ରେମକୁ, କୁଷ୍ଠରୋଗୀଙ୍କ ସହ ଶେଷରେ ପଡିଲା ହାତଗଣ୍ଠି । ଖୁସିରେ ବିତୁଛି ଦାମ୍ପତ୍ୟ ଜୀବନ । ପଢନ୍ତୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବାମପଦା କୁଷ୍ଠାଶ୍ରମର ଅନ୍ତେବାସିନୀ ଦୁର୍ଗାମଣି ଉପାଧ୍ୟାୟଙ୍କ କଥା...
ବାଲେଶ୍ବର: ସତରେ ପ୍ରେମ ଅନ୍ଧ, ପ୍ରେମରେ ପଡିଲେ ମଣିଷ ଅନ୍ଧ ହୋଇଯାଏ। ଆଉ କରି ବସେ ଅନେକ ଭୁଲ। ହେଲେ ଏମିତି ଅନ୍ଧ ପ୍ରେମ ବର୍ତ୍ତମାନ ସାମାଜିକ ସ୍ତରରେ ବେଶ ଉତ୍ତମ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି। ବ୍ୟାଧି ଅଟକାଇ ପାରିନି ପ୍ରେମକୁ, କୁଷ୍ଠରୋଗୀଙ୍କ ସହ ଶେଷରେ ପଡିଲା ହାତଗଣ୍ଠି। ବିବାହକୁ 16 ବର୍ଷ ପୂରିଯାଇଛି, ଆଉ ଖୁସିରେ ବି ଦାମ୍ପତ୍ୟ ଜୀବନ ବିତୁଛି। ଆମେ କହୁଛୁ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବାମପଦା କୁଷ୍ଠାଶ୍ରମର ଅନ୍ତେବାସିନୀ ଦୁର୍ଗାମଣି ଉପାଧ୍ୟାୟଙ୍କ କଥା ।
1994 ମସିହାରେ ବାହନଗା ବ୍ଲକ ଅଶିମିଳା ଅଞ୍ଚଳରୁ କୁଷ୍ଠରୋଗରେ ପୀଡିତ ହୋଇ ଦୁର୍ଗା କୁଷ୍ଠାଶ୍ରମ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ରହି ଚିକତ୍ସିତ ହେଉଥିବା ବେଳେ ଗ୍ୟାରେଜ ମିସ୍ତ୍ରୀ ରାମଚନ୍ଦ୍ର ଘୋଷ ଦୁର୍ଗାଙ୍କୁ ପ୍ରେମ ନିବେଦନ କରିଥିଲେ। ବ୍ୟାଧି କବଳରେ କବଳିତ ଦୁର୍ଗା ରାମଚନ୍ଦ୍ରଙ୍କ ପ୍ରସ୍ତାବରେ ପ୍ରଥମେ ରାଜି ହୋଇ ନଥିଲେ। କୁଷ୍ଠରୋଗୀଙ୍କୁ ସମାଜ ଏକ ଘୃଣିତ ଚକ୍ଷୁରେ ଦେଖୁଥିବା ଯୋଗୁଁ ରାମଚନ୍ଦ୍ରଙ୍କୁ ଦୁର୍ଗା ମନା କରିଦେଇଥିଲେ। ପରେ ରାମଚନ୍ଦ୍ର ଦୁର୍ଗାଙ୍କୁ ଆଶ୍ବାସନା ଦେବାସହ ଜୀବନସାଥୀ କରିବାକୁ ପ୍ରସ୍ତାବ ଦେଇଥିଲେ।
ଉଭୟେ ବିବାହ କରିବା ପରେ ଦୁର୍ଗାଙ୍କ ପରିବାର ଲୋକେ ବେଶ ଚିନ୍ତିତ ଥିଲେ, କାରଣ ରାମଚନ୍ଦ୍ରଙ୍କ ପରିବାର ଲୋକେ ଦୁର୍ଗାଙ୍କ ରୋଗ ବିଷୟରେ ଜାଣିଲେ କାଳେ ଘରୁ ତଡିଦେବେ ସେଇ ଚିନ୍ତା ସେମାନଙ୍କୁ ଘାରୁଥିଲା। ଦୁର୍ଗା ବିବାହ କରିବା ପରେ ପରିବାର ଲୋକେ ଦୂରେଇ ଦେଲେ । ଅନେକ ଯାତନା ସହିବା ପରେ ବି ଦୁର୍ଗାକୁ ନେଇ ସୁନାର ସଂସାର ଗଢିଲେ ରାମଚନ୍ଦ୍ର । ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଥିବା ପରେ ବି ଏକ ପୋଷ୍ୟ କନ୍ୟାକୁ ବି ଗ୍ରହଣ କରିଛନ୍ତି ଉଭୟେ । ଆଉ ଏହାରି ମଧ୍ୟରେ ଉଭୟଙ୍କ ପରିବାର ଏକାଠି ହେବା ସହ ସ୍ଥାନୀୟ ଅଞ୍ଚଳରେ ଏମିତି ଏକ କାହାଣୀକୁ ନେଇ ବେଶ ଚର୍ଚ୍ଚା ।
ଆଜିର ମୋବାଇଲ ଓ ସୋସିଆଲ ମିଡିଆ ପ୍ରେମ ଏହି ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମ ଆଗରେ ସତେ ଯେମିତି ମୂଲ୍ୟହୀନ ପାଲଟିଛି। ଦୁନିଆ ଦୁରାରୋଗ୍ୟ ବୋଲି କହି ଘୃଣା କରୁଥିବା ଲୋକଙ୍କୁ ନେଇ ସଂସାର କରିଥିବା ଏହି ଦୁଇଜଣ ନିଶ୍ଚୟ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟୀ ହେବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
BLANK FOR LINK
Conclusion: