ବାଲେଶ୍ବର : ଦଶ ବର୍ଷ ଧରି ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଛନ୍ତି ସେ । ଆମେ କହୁଛୁ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଜୁରିଆପାଟଣାର ଦିବ୍ୟାଙ୍ଗ ପଥରଶିଳ୍ପୀ ବିମଳ କୁମାର ଦଳେଇଙ୍କ କଥା । ପ୍ରଶାସନିକ ଅଧିକାରୀଙ୍କ ପାଖକୁ ବାରମ୍ବାର ଦୌଡ଼ିବା ପରେ ଶେଷରେ ନ୍ୟାୟ ଆଶାରେ ସେ ପହଞ୍ଚିଥିଲେ ବାଲେଶ୍ଵର ଜିଲ୍ଲାପାଳଙ୍କ ପାଖରେ। ଠିକାଦାର ଗୟାଧର ଧାଉଁଡ଼ିଆ ବିମଳଙ୍କୁ ନେଇ ଏକ ମନ୍ଦିର କାମ କରାଉଥିବା ବେଳେ ସେଠାରେ ବିମଳ ମନ୍ଦିର ଉପରୁ ଖସି ପଡ଼ିଥିଲେ। ବିମଳ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଥିବା ବେଳେ ମଧ୍ୟ ଠିକାଦାର ତାଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦେଇନଥିବା ସେ ଅଭିଯୋଗ କରିଥିଲେ।
ଓଡିଶା ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶରେ ଦିବ୍ୟାଙ୍ଗ ବିମଳ କୁମାର ଦଳେଇଙ୍କୁ ଦୁଇ ମାସ ଭିତରେ ନ୍ୟାୟ ପ୍ରଦାନ କରିବା କଥା। ଯେହେତୁ ଠିକାଦାର ଶ୍ରମ ଅଧିକାରୀଙ୍କ ନୋଟିସକୁ ବେଖାତିର କରୁଥିଲେ । ଧରାଛୁଆଁ ଦେଉନଥିଲେ ଏଥିପାଇଁ ନୀଳଗିରି ଉପଜିଲ୍ଲାପାଳଙ୍କ ଦ୍ୱାରା ଠିକାଦାର ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିମଳକୁ ନ୍ୟାୟ ଦେବା କଥା। ହେଲେ ଠିକାଦାର ଗୟାଧର ଧାଉଁଡିଆ ଚଞ୍ଚକତା କରି ନିଜକୁ ନିର୍ଦ୍ଦୋଶ କରିବା ବାହାନାରେ ଓକିଲ ମାଧ୍ୟମରେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି । ପୁଣି ହାଇକୋର୍ଟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୁଇ ମାସ ଭିତରେ କେସର ସଠିକ ଅନୁଧ୍ୟାନ କରି ବିମଳକୁ ନ୍ୟାୟ ପ୍ରଦାନ କରିବାକୁ । ତେଣୁ ନ୍ୟାୟ ପାଇବା ବିଳମ୍ବ ଯୋଗୁଁ ଜିଲ୍ଲାପାଳଙ୍କୁ ନିଜର ଲିଖିତ ଦରଖାସ୍ତ ମାଧ୍ୟମରେ ସାକ୍ଷାତ କରିଛନ୍ତି ବିମଳ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ