ବାଲେଶ୍ବର: ସହର ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପରେ ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ରାଜ୍ୟ ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଆଇନ ବିଧାନ ଅନୁସାରେ ମତ୍ସ୍ୟଜୀବୀମାନେ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ସମୁଦ୍ର ଭିତରକୁ ଯାଉଛନ୍ତି । ମାତ୍ର ମାଫିଆର ଆଖ୍ୟା ଦେଇ ନିରୀହ ଲୋକଙ୍କୁ ଗିରଫ କରାଯିବା ସହ ବୋଟ ଗୁଡିକ ଜବତ କରାଯାଉଛି।
ବନ ବିଭାଗ ବୋଟ ସିଜ୍ କରି ସେଥିରେ ଥିବା ତେଲ ଓ ଉତ୍ପାଦିତ ମାଛ ବିକ୍ରି କରିଦେଉଥିବା ଅଭିଯୋଗ ହୋଇଛି। ମତ୍ସ୍ୟଜୀବୀଙ୍କୁ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମ ଅନୁସାରେ ନଭେମ୍ବର ମାସରେ ଗହୀରମଥାକୁ ମନା ହୋଇଥାଏ । ମାତ୍ର ଚଳିତ ବର୍ଷ କୌଣସି ସୂଚନା ନଦେଇ ସେଠାକୁ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ବୋଟ ଜବତ କରାଯାଇଥିଲା ।
ଏହାକୁ ନେଇ ସଙ୍ଘ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ଏହାକୁ ରୋକାନଗଲେ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି । ବନବିଭାଗ ଦ୍ଵାରା ମତ୍ସ୍ୟଜୀବୀମାନେ ନିର୍ଯାତିତ ହେଉଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସଙ୍ଘର ରାଜ୍ୟ ସଭାପତି କାମେଶ୍ବର ନାରାୟଣ ପ୍ରହରାଜ, ଉପସଭାପତି ବାଦଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ମାନେ ଏଥିରେ ସାମିଲ ହୋଇଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ