ବାଲେଶ୍ବର: ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁକୁ ନେଇ ବାପ-ଶ୍ବଶୁର ଘର ମଧ୍ୟରେ ଧସ୍ତାଧସ୍ତି । ଏଥିରେ ଜଣେ ଯୁବକ ଆହତ ହୋଇଥିବାବେଳେ ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି ।
ସୂଚନାଯୋଗ୍ୟ, ବସ୍ତା ଥାନା ପରମାନନ୍ଦପୁର ଗ୍ରାମର ସତ୍ୟବାନ ମହାଳିକଙ୍କ ପତ୍ନୀ ସାବିତ୍ରୀ ମହାଳିକ ଘରୋଇ କଳହକୁ କେନ୍ଦ୍ର କରି ରବିବାର ମଧ୍ୟାହ୍ନରେ କନିଅର ମଞ୍ଜି ଖାଇଥିଲେ । ଏଥିରେ ସେ ଗୁରୁତର ହେବାରୁ ତାଙ୍କ ସ୍ବାମୀ ଓ ଶାଶୁ ଚିକିତ୍ସା ପାଇଁ ସାବିତ୍ରୀଙ୍କୁ ଦ୍ବିପ୍ରହର 2ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ରାତି ପ୍ରାୟ ୧ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୋମବାର ସକାଳେ ସାବିତ୍ରୀଙ୍କ ଶ୍ବଶୁର ଘର ଲୋକ ଏବଂ ସାହିଲୋକ ହସ୍ପିଟାଲରେ ଥିବାବେଳେ ତାଙ୍କ ବାପ ଘର ଏବଂ ସମ୍ପର୍କୀୟ ଲୋକ ସେଠାରେ ପହଞ୍ଚିଥିଲେ । ଉଭୟପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ହୋଇଥିଲେ । ଏହି ଆକ୍ରମଣ ପ୍ରତ୍ୟାକ୍ରମଣ ଘଟଣାରେ ମୃତ ମହିଳାଙ୍କ ଦିଅର ଜିତେନ୍ଦ୍ର ମହାଳିକ ଗୁରୁତର ଆହତ ହୋଇଛନ୍ତି । ସେପଟେ ଡାକ୍ତରଖାନାରେ ଫାଣ୍ଡି ପୋଲିସ ପହଞ୍ଚି ମୃତ ମହିଳାଙ୍କ ସ୍ବାମୀ, ଘରଲୋକ ଓ ଆକ୍ରମଣ କରିଥିବା ସାବିତ୍ରୀଙ୍କ ବାପଘର ଏବଂ ସମ୍ପର୍କୀୟ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ପରିସ୍ଥିତି ଲାଗି ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ