ବାଲେଶ୍ବର: ଟିକେଟ ଘୋଷଣା ପରେ ମାତିଲେ ଦଳର ବିଦ୍ରୋହୀ । ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପୁଣି ଥରେ ନିତ୍ୟାନନ୍ଦ ସାହୁଙ୍କ ନାମ ଘୋଷଣା ହୋଇଛି । କିନ୍ତୁ ଏହାକୁ ନେଇ ଅସନ୍ତୁଷ୍ଟ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । କର୍ମୀମାନେ ରାସ୍ତାରେ ବ୍ୟାନର ଓ କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି ।
ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଥିବା ଆଶାୟୀ ପ୍ରାର୍ଥୀ ଓ ଅସନ୍ତୁଷ୍ଟ କର୍ମୀ ମାନେ ଜଳାପୋଡା କରିଛନ୍ତି । ବସ୍ତାର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ନିତ୍ୟାନନ୍ଦଙ୍କ ନାମ ଘୋଷଣା ହୋଇଛି। ଏହି ଖବର ପ୍ରସାରଣ ପରେ ଅସନ୍ତୁଷ୍ଟ କର୍ମୀମାନେ ବାଲେଶ୍ଵର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଜଣେ ଅପାରଗ ପ୍ରାର୍ଥୀଙ୍କ ପାଇଁ ସୁପ୍ରିମୋ କିପରି ନିଷ୍ପତି ନେଲେ ବୋଲି ଅଭିଯୋଗ କରିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ ।
ତେବେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବସ୍ତା ବ୍ଲକର ମହାଦେବ ଦାସ, ବିଧାୟକ ନିତ୍ୟାନନ୍ଦ ସାହୁ ଓ ସାଂସଦଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ଥିବା ବେଳେ ବାଲିଆପାଳ ବ୍ଲକରୁ ଜିଲ୍ଲା ପରିଷଦ ରବିନ୍ଦ୍ରନାଥ ଅଣ୍ଡିଆଙ୍କ ନାମ ଚର୍ଚ୍ଚାରେ ରହିଥିଲା ।
ବ୍ଲକର ୨୮ ଗୋଟି ପଞ୍ଚାୟତରେ ତାଙ୍କର ଲୋକ ସମ୍ପର୍କ ଭଲ ଥିଲା । କର୍ମୀମାନେ ମଧ୍ୟ ଅଣ୍ଡିଆଙ୍କୁ ବିଧାୟକ ପଦରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଉତ୍ସାହିତ କରି ଆସୁଥିଲେ । ଅଣ୍ଡିଆ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ବାଲିଆପାଳ ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ଦଳୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଗୁହାରି ସହିତ ଟିକେଟ ପାଇବାର ଚେଷ୍ଟା ଜାରି ରଖିଥିଲେ । ହେଲେ ଟିକଟ ନମିଳିବାରୁ ତାଙ୍କ କର୍ମୀ ମାନେ ବାଲିଆପାଳ ସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା ସହ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ରାସ୍ତାରେ ରଖି ନିଆଁ ଲଗାଇ ଥିଲେ ।
ବାଲେଶ୍ବରରୁଜୀବନ ଜ୍ୟୋତି ନାୟକ