ବଲାଙ୍ଗୀର: ଧାନ କିଣାରେ ଘୋର ଅବ୍ୟବସ୍ଥା ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଘୋର ଅବ୍ୟବସ୍ଥା ଅଭିଯୋଗରେ ସୋମବାର ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗାଡି ଛିଡା କରି ଆନ୍ଦୋଳନ କରିଛି।
ଏହି ଆନ୍ଦୋଳନରେ ଜିଲ୍ଲାର ସବୁ ମଣ୍ଡିରୁ 10 କେଜି କଟଣି କରାଯାଇ ଧାନ କିଣା ଯାଉଥିବା ସହ ଚାଷୀଙ୍କୁ ହଇରାଣ କରାଯାଉଥିବା ଦଳ ଅଭିଯୋଗ ଆଣିଛି । ସମାନ ଭାବରେ ଜିଲ୍ଲାରେ ସରକାର ଧାନ କିଣିବା ନିୟମ ଥିବାବେଳେ ଏଠି ମିଲରମାନେ ସିଧାସଳଖ ଧାନ କିଣାରେ ସାମିଲ ହେଉଛନ୍ତି।
ଯାହାଫଳରେ ଏଠାରେ ଚାଷୀ ଶୋଷିତ ହେଉଥିବାର ଦଳ ଅଭିଯୋଗ ଆଣିବା ସହ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି । ତେବେ ଦାବି ପୂରଣ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଦଳ ଚେତାବନୀ ଦେଇଛି ।
ଏହି ଆନ୍ଦୋଳନରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଲୋଇସିଙ୍ଗା ବିଧାୟକ ମୁକେଶ ମହାଳିଙ୍ଗ ଓ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାଣୀଙ୍କ ସହ ବିଜେପିର ଶତାଧିକ କର୍ମୀ ସାମିଲ ଥିଲେ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୟାହିଦ୍, ଇଟିଭି ଭାରତ