ବାଲେଶ୍ବର: କୋରୋନା ସମୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି କରିଛି ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ । ଏନେଇ ନେସ୍କୋ ପାୱାର ଏମ୍ପ୍ଲୋଇଜ୍ ୟୁନିୟନ ପକ୍ଷରୁ ବାଲେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୫ଟି ଜିଲ୍ଲାରେ ୨ ଲକ୍ଷ ୫୦ ହଜାର ବିଦ୍ୟୁତ ଗ୍ରାହକ ଥିବାବେଳେ ୫ ହଜାର ୮୮୦ ଜଣ ଶ୍ରମିକ କର୍ମଚାରୀ ଥିଲେ । ବର୍ତ୍ତମାନ ଟାଟା ପାୱାର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଧୀନରେ ସେହି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଗଲାଣି । ମାତ୍ର ବିଦ୍ୟୁତ ଶ୍ରମିକ ସଂଖ୍ୟା ହ୍ରାସ ପାଇ ୨ହଜାର ୨ ଶହରେ ପହଞ୍ଚିଛି ।
ଶ୍ରମିକ ସଂଖ୍ୟା ବୃଦ୍ଧି ନକରି ଟାଟା ପାୱାର କଣ୍ଟ୍ରାକ୍ଟର ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦକ କରୁଥିବା ଯୋଗୁଁ ଗ୍ରାହକ ସେବା ବ୍ୟାହତ ହେଉଥିବା କୁହାଯାଇଛି । ନିମ୍ନମାନର ବିଦ୍ୟୁତ ଉପକରଣ ବ୍ୟବହାର ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହେବା ସହ କର୍ମଚାରୀମାନେ ଅନେକାଂଶରେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଏମିତି ଜୀବନକୁ ବାଜି ଲଗାଇ କୋରୋନା ସମୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ଦାବି ଜୋର ଧରିଛି । କରୋନା କାଳରେ ନିରବଚ୍ଛିନ୍ନ ସେବା ଯୋଗାଉଥିବା ବିଦ୍ୟୁତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ସରକାର ଚିନ୍ତା କରିବା ପାଇଁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ