ବାଲେଶ୍ଵର: ଆଦାନୀ ଗ୍ରୁପ ଅଫ କମ୍ପାନୀର ପ୍ରସଙ୍ଗକୁ ନେଇ ରାଜ୍ଯବ୍ଯାପି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ। ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ଗ୍ରୁପ ଅଫ କମ୍ପାନୀର ସେୟାର ମୂଲ୍ୟ ନିୟମିତ ଭାବରେ ହ୍ରାସ ପାଇବାରେ ଲାଗିଛି । ଫଳରେ ନିବେଶକମାନେ ଅହେତୁକ କ୍ଷତି ସହି ଚାଲିଛନ୍ତି । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ିଛି । ଏହି ରିପୋର୍ଟ ପ୍ରକାଶ ପାଇବାପରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏଲଆଇସି କେଉଁ ପରିସ୍ଥିତିରେ ଆଦାନୀ ଗ୍ରୁପରେ କୋଟିକୋଟି ଟଙ୍କା ନିବେଶ କଲା ତାହା ସନ୍ଦେହ ପରିସରକୁ ଆସିଛି । ରିପୋର୍ଟ ପ୍ରକାଶ ପାଇବା ପରଠୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ତାଙ୍କ ମନ୍ତ୍ରୀଗଣ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି ।
ଯାହାକୁ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସାରା ଦେଶର ପ୍ରତ୍ୟେକ ଜିଲ୍ଲାରେ ଥିବା ଏଲଆଇସି ଓ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ୧୦ ଘଟିକାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରିଙ୍କ ସଭାପତିତ୍ୱରେ ସ୍ଥାନୀୟ ଚିଡ଼ିଆପୋଲ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ପରିସରରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ଏହି ବିକ୍ଷୋଭରେ ଆଦାନୀ କମ୍ପାନୀ କରିଥିବା ଅର୍ଥନୈତିକ ଘୋଟଲାର ପ୍ରସଙ୍ଗ ପାର୍ଲିଆମେଣ୍ଟରେ ଆଲୋଚନା, ଆଦାନୀ ଗ୍ରୁପରେ ଘୋଟାଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ କିମ୍ବା ଏକ ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଅନୁସନ୍ଧାନ ପାଇଁ କଂଗ୍ରେସ ଦାବି କରିଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପରମିତା ମହାନ୍ତି, ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା, ଜଳେଶ୍ଵର ବ୍ଲକ କଂଗ୍ରେସ ସଭାପତି ରାଜୀବ ଲୋଚନ ପରିଡା ପ୍ରମୁଖ ନିଜର ବକ୍ତବ୍ୟ ରଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଜିଲ୍ଲା ଉପସଭାପତି ଗୋପୀନାଥ ପାଢ଼ୀ, ନାରୀ ନେତ୍ରୀ ରାଣୀ ମନୋଜା ମଞ୍ଜରୀ ଦେବୀ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବାସନ୍ତୀ ସାମଲ, ବିକାଶ ଦାସ, ଯୁବ ନେତା ସରୋଜ ଲେଙ୍କା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ସୁଧାଂଶୁ ଶେଖର ଜେନା, ଜୀବନ ମହାପାତ୍ର, ସୌରଭ ବେହେରା, ନବ ପ୍ରସାଦ ଭୂୟାଁ, ଅବିନାଶ ଦାସ, ସଂଜୀବ ନାୟକ, ବିଦ୍ୟାଧର ମହାନ୍ତି, ସୁଧାକର ରାଉତ, ବିଜୟ ମାଝୀ, ଜାନୁ ମୁଖି, ଲକ୍ଷ୍ମୀପ୍ରିୟା ଦାସ, ଲମ୍ବୋଦର ଜେନା, ଘନଶ୍ୟାମ ବେହେରା, ପୂର୍ବତନ ସରପଞ୍ଚ କହ୍ନେଇ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ଇଟିଭି ଭାରତ, ବାଲେଶ୍ବର