ବାଲେଶ୍ଵର: ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସୂଚନା ଅନୁସାରେ, ରୁପ୍ସା ହାତିହାଡ଼ିଆ ଅଞ୍ଚଳର ପ୍ରତାପ ରାଉତଙ୍କ ସୁଗର ଲେବଲ କମ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ୱାର୍ଡରେ ଭର୍ତ୍ତି କରାଯାଇଥିଲା।
ସକାଳେ ତାଙ୍କର ଅବସ୍ଥା ସାମାନ୍ୟ ବିଗିଡିବାରୁ ତାଙ୍କୁ ORS ଦେବାପାଇଁ ନର୍ସମାନେ ପରାମର୍ଶ ଦେଇଥିଲେ। ମଧ୍ୟାହ୍ନ ସମୟରେ ପ୍ରତାପ ହଠାତ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ପରିବାର ଲୋକେ ନର୍ସମାନଙ୍କୁ ଡାକିଥିଲେ ମଧ୍ୟ ସେ ଦୀର୍ଘ ସମୟ ଯାଏ ପ୍ରତାପଙ୍କ ପାଖକୁ ଆସି ନଥିଲେ। ପ୍ରାୟ ଘଣ୍ଟାଏ ପରେ ଡାକ୍ତର ଆସିବା ବେଳକୁ ପ୍ରତାପଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ମୃତକଙ୍କ ପରିବାରଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ