ବାଲେଶ୍ବର: ଓଡିଶାକୁ ଡାରାଉଛି ବାତ୍ୟା 'ବୁଲ୍ବୁଲ୍' । ସମ୍ଭାବ୍ୟ ବାତ୍ୟା ନେଇ ସ୍ଥିତି ସ୍ପଷ୍ଟ ନହେଲେ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି 80ରୁ 90 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବୁଲୁବୁଲର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।
ସମ୍ଭାବ୍ୟ ବାତ୍ୟା ନେଇ ଗୁରୁବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆଲୋଚନା କରିଛନ୍ତି । ବର୍ଷା ପାଇଁ ସମ୍ଭାବ୍ୟ କ୍ଷୟକ୍ଷତିରୁ ବର୍ତ୍ତିବା ପାଇଁ ସମସ୍ତଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଓଡ୍ରାଫ, ଅଗ୍ନିଶମ ବିଭାଗକୁ ଜିଲ୍ଲାର ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି କୃଷି ବିଭାଗ, ବିଦ୍ୟୁତ ବିଭାଗକୁ ବର୍ଷାରେ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ଉପାୟରେ ସେବା ଯୋଗାଇବା ପାଇଁ କୁହାଯାଇଛି । ଏହାସହ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ଉପରେ ରୋକ ଲଗାଯାଇଛି । ଏହାସହ ସେଠାରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ