ବାଲେଶ୍ୱର: ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କ ସ୍ୱାର୍ଥକୁ ନଜରରେ ରଖି ବିଜେପି ପକ୍ଷରୁ ଆୟୋଜିତ ହୋଇଯାଇଛି ସାମ୍ବାଦିକ ସମ୍ମିଳନୀ। ଯେଉଁଠାରେ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ତୁରନ୍ତ ପଞ୍ଜୀକୃତ କରାଯିବା ଓ ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ ଆଲୋଚନା ହୋଇଥିଲା। ଏଥିସହିତ ସେମାନଙ୍କ ଅଧିକାର ଦେବା ପାଇଁ ଦାବି ହୋଇଥିଲା।
ଶାସକ ଦଳର ପ୍ରବଞ୍ଚନାର ଶିକାର ହୋଇ ଶ୍ରମିକ ନିଜ ଅଧିକାର ହରାଉଥିବା ସମ୍ମିଳନୀରେ ପ୍ରକାଶ ହୋଇଥିଲା। ଏଥିସହ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଓ କଲ୍ୟାଣ ସହାୟତା ଶାସକ ଦଳର ଆନୁଗତ୍ୟରେ ହେଉଥିବା ବିଜେପି ଅଭିଯୋଗ ଆଣିଥିଲା। ଏହି ଅଭିଯୋଗ ମୁତାବକ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ଅଯୋଗ୍ୟ ହିତାଧିକାରୀଙ୍କୁ ପରିଚୟ ପ୍ରଦାନ କରାଯାଉଛି ଏବଂ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇ ଦିଆଯାଉଛି।
ଅନ୍ୟପଟେ ଜିଲ୍ଲାରେ 2ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରମିକ ଥିବା ବେଳେ 1ଲକ୍ଷରୁ କମ୍ ଶ୍ରମିକଙ୍କ ପଞ୍ଜୀକରଣ ହୋଇପାରିଛି । ଫଳରେ ଶ୍ରମିକ ସମାଜରେ ନୈରଶ୍ୟତା ବଢିବାରେ ଲାଗିଛି। ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନର ଶେଷ ତାରିଖ 20ଥିବା ବେଳେ ଏହାକୁ 28 ଯାଏଁ ଘୁଞ୍ଚାଇବାକୁ ଦାବି କରିଛି ବିଜେପି।
ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ପ୍ରଭାରୀ ଶୁଭଙ୍କର ମହାପାତ୍ର, ରବି ନାରାୟଣ ମହାପାତ୍ର, ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ ଓ ଅରୁପ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ