ବାଲେଶ୍ଵର: ରେମୁଣା ବିଧାୟକଙ୍କ ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇଲା ରେମୁଣା ବିଜେପି । ଚାଷୀଙ୍କ ସବସିଡି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସକାଳ ୮ ଟାରୁ ୧୦ ପର୍ଯ୍ୟନ୍ତ ରେମୁଣାରେ ବନ୍ଦ ପାଳନ କରାଯାଇଥିଲା । ବିଧାୟକଙ୍କ ବିରୋଧରେ ନାରାବାଜି ଦେବା ସହ ଗିରଫ ଦାବି କରିଛି ବିଜେପି ।
ସୂଚନା ଅନୁସାରେ, ରେମୁଣା ବିଧାୟକ ସୁଧାଂଶୁ ପରିଡାଙ୍କ ନାଁରେ କୃଷି ଯନ୍ତ୍ରପାତି ବିକ୍ରି ବେଳେ ମିଳୁଥିବା ସବିସିଡି ଟଙ୍କା ହଡ଼ପ ନେଇ ଅଭିଯୋଗ ହୋଇଥିଲା । ଏହି ମାମଲା ଏବେ ଲୋକାୟୁକ୍ତଙ୍କ ଠାରେ ବିଚାରଧୀନ ରହିଛି ଏବଂ ଭିଜିଲାନ୍ସ ମଧ୍ୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରି ସାରିଛି । ମାତ୍ର ରାଜ୍ୟ ସରକାର ବିଧାୟକଙ୍କୁ ଘଣ୍ଟ ଘୋଡାଉଥିବା ବିଜେପି ଅଭିଯୋଗ କରିଛି । ଗରିବ ଚାଷୀଙ୍କ କୋଟିକୋଟି ଟଙ୍କାର ସବସିଡ଼ି ହଡ଼ପ କରିଥିବା ରେମୁଣାର ବିଜେଡ଼ି ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ସୁରକ୍ଷା ଦେଇ ରାଜ୍ୟ ସରକାର ହଜାର ହଜାର ଚାଷୀମାନଙ୍କ ସବସିଡି ଟଙ୍କା ହଡ଼ପ ଉପରେ ଦୃଷ୍ଟି ଦେଉ ନଥିବା କହିଛି ବିଜେପି । ଏତେ ବଡ଼ ଧରଣର ଆର୍ଥିକ ଦୁର୍ନୀତି ବିନା ବିଭାଗୀୟ ଅଧିକାରୀ ଓ କୃଷିମନ୍ତ୍ରୀଙ୍କ ସହାୟତାରେ ସମ୍ଭବ ନୁହେଁ । ଏଥିରେ ବହୁ ବରିଷ୍ଠ ନେତା ଓ ମନ୍ତ୍ରୀ ସାମିଲ ଥିବା କଥା ବିଜେପି କହିଛି ।
ଏହା ମଧ୍ୟ ପଢ଼ନ୍ତୁ: ଆଜିଠୁ ଦୁଇ ଦିନିଆ ବଗରଡ ଗସ୍ତରେ 5T ସଚିବ, ଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେଲା ବିଜେପି
ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ସ୍ଵତ୍ତେ ବିଧାୟକଙ୍କ ଏତାଦୃଶ କାର୍ଯ୍ୟ ପାଇଁ ତାଙ୍କ ପ୍ରତି ବିଜେଡି କାହିଁକି ଏତେ ପ୍ରୀତି ପରଷୁଛି ବୋଲି ଦଳ ପ୍ରଶ୍ନ କରିଛି । ଏମିତିକି ଭିଜିଲାନ୍ସ ତଦନ୍ତରେ ବଡ଼ ଧରଣର ଆର୍ଥିକ ଦୁର୍ନୀତିର ପ୍ରମାଣ ଥିବା ସ୍ବତ୍ତେ ସରକାର ନିରବଦ୍ରଷ୍ଟା ସାଜି ବିଧାୟକଙ୍କ ଏମିତି କାର୍ଯ୍ୟକୁ ନିନ୍ଦା କରିବା ବଦଳରେ ପ୍ରୋତ୍ସାହିତ କରିବାରେ ଲାଗିଥିବା ବିଜେପି ଅଭିଯୋଗ କରିଛି । ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଦଳରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ଦାବି ହୋଇଛି । ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡ ବିଧାନ କରିବା ସହିତ ତାଙ୍କ ଦ୍ଵାରା ହଡ଼ପ ହୋଇଥିବା ଅର୍ଥରାଶିକୁ ସୁଧମୂଳ ସମେତ ଆଦାୟ କରିବା ପାଇଁ ଦାବି ହୋଇଛି । ଏହାକୁ ନେଇ ଆଜି ରେମୁଣା ବନ୍ଦ କରାଯାଇଥିବା ବେଳେ ଯଥାଶୀଘ୍ର ବିଧାୟକ ଗିରଫ ନେହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି ।
ଇଟିଭି ଭାରତ, ବାଲେଶ୍ବର