ବାଲେଶ୍ବର: ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ ଯୁବତୀଙ୍କ ଉଲଗ୍ନ ଭିଡିଓକୁ ଭାଇରାଲ ଘଟଣାରେ ଉଗ୍ର ହେଉଛି ସ୍ଥିତି । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଭୋଗରାଇ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଲେଜ ଛାତ୍ରଛାତ୍ରୀ । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ 4 ଚରିଜଣଙ୍କୁ ଗିରଫ କରିନାହିଁ । ଯାହାକୁ ନେଇ ପ୍ରତିବାଦ ଜଣାଇଛନ୍ତି କଲେଜ ଛାତ୍ର ଛାତ୍ରୀ ।
ଅଗଷ୍ଟ 1 ତାରିଖ ତାଳସାରୀ ବେଳାଭୂମିକୁ ବୁଲିଯାଇଥିଲେ ଜଣେ ଯୁବକ ଓ ଯୁବତୀ । ଯୁବତୀଙ୍କୁ କିଛି ଅସାମାଜିକ ଯୁବକ ଜୋର ଜବରଦସ୍ତ ଉଲଗ୍ନ କରିବା ସହ ଅଶ୍ଳିଳ କାର୍ଯ୍ୟ କରିବା ପାଇଁ ଧମକ ଦେଇଥିଲେ । ଟଙ୍କା ନଦେଲେ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ଭିଡ଼ିଓକୁ ଭାଇରାଲ କରିଥିଲେ ।
ସ୍ଥାନୀୟ ପୋଲିସ ଜଣକୁ ଗିରଫ କରି ଚୁପ ବସିଛି । ପ୍ରଶାସନ ନିରବତାକୁ ନେଇ ମଧ୍ୟ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ୧ ତାରିଖରେ ଏପରି ଲଜ୍ଜାଜନକ ଘଟଣା ଅଭିଯୁକ୍ତମାନେ ଘଟାଇଥିବା ବେଳେ ୮ ତାରିଖରେ ଭିଡିଓ ଭାଇରାଲ୍ କରିଥିଲେ। ଅଭିଯୋଗକୁ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଚାରି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ ଚାରି ଜଣ ତାଳସାରୀ ପୋଲିସର ଛତ୍ରଛାୟା ତଳେ ରହି କାମ କରୁଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଆର ଆଇ ଏଚ୍ ଏସ୍ କଲେଜର ଛାତ୍ରଛାତ୍ରୀ ଏଆଇଡିଏସଓ ପକ୍ଷରୁ ଭୋଗରାଇ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଥାନାରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ବାଲେଶ୍ବରରୁ ଜାବନଜ୍ୟୋତି ନାୟକ, ଇଟିଭି ଭାରତ