ବାଲେଶ୍ବର: ଜିଲ୍ଲା ସୋର ବ୍ଲକ କେଦାରପୁର ଗାଁର ଚିତ୍ରକର ଅମିତ ଦାସଙ୍କ ଗତ 21 ତାରିଖରେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଭଲ ଚିତ୍ରକର ଭାବେ ସୋର ଅଞ୍ଚଳରେ ସେ ବେଶ ନାଁ କମାଇଥିବା ବେଳେ କିଡନୀ ଓ ହୃଦରୋଗୀ ହୋଇ ମଧ୍ୟ ଚିତ୍ର ଆଙ୍କୁଥିଲେ । ତେବେ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ନିର୍ଜୀବ କାନଭାସରେ ରଙ୍ଗବୋଳି ତାକୁ ଜୀବନ୍ତ କରୁଥିବା ଚିତ୍ରକର ଦେହରେ ଆଜି ଜୀବନ ନାହିଁ । ଧଳା କପଡା ଘୋଡେଇ ହୋଇ ସେ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଛନ୍ତି । ରଙ୍ଗ ଓ ତୁଳୀ ଦିନେ ବଞ୍ଚିବା ପାଇଁ ରାହା ଦେଖାଇଥିବା ବେଳେ ଆଜି ତୁଳୀ ଗୁଡିକୁ ଧରିବା ପାଇଁ ସେ ଚିତ୍ରକର ଏ ଦୁନିଆରେ ନାହିଁ । ଏକ ଦୁର୍ଘଟଣାରେ ଚିତ୍ରକର ତୁଳୀ ଓ ରଙ୍ଗକୁ ଭୁଲି କେଉଁ ଏକ ବେରଙ୍ଗ ଦୁନିଆକୁ ଚାଲି ଯାଇଛନ୍ତି ଚିତ୍ରକର ଅମିତ ।
ଜଣେ ଭଲ ଚିତ୍ରକର ଭାବେ ସୋର ଅଞ୍ଚଳରେ ସେ ବେଶ ନାଁ କମାଇଥିଲେ । ତାଙ୍କର କୀଡନି ଓ ହୃଦରୋଗ ଥିଲେ ମଧ୍ୟ ସେ ଚିତ୍ର ଆଙ୍କିଲେ ବେଶ ସତେଜ ଅନୁଭବ କରୁଥିଲେ । ନିକଟରେ ଅମିତ ଲଳିତ କଳା ଏକାଡେମୀରୁ ସମ୍ମାନିତ ହୋଇ ଫେରିଥିଲେ । ମାତ୍ର କିଏ ଜାଣିଥିଲା ସେ ଫେରିଯିବେ ସେହି ଅଫେରା ରାଇଜକୁ । ୨୧ ତାରିଖ ଏକ ସଡ଼କ ଦୁର୍ଘଟଣାରେ ଅମିତ ପରପାରିକୁ ଚାଲି ଯାଇଛନ୍ତି । ଜଣେ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଭାବେ ଅମିତ ସୋରରେ ବେଶ ଜଣାଶୁଣା ଥିଲେ ।
ତାଙ୍କ ଜୀବନର ସଂଘର୍ଷ ଓ ରଙ୍ଗତୁଳୀକୁ ନେଇ ‘ଇଟିଭି ଭାରତ’ରେ ମାର୍ଚ୍ଚ ମାସ ୧୫ ତାରିଖରେ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରାଯାଇଥିଲା । ହେଲେ ବିଧିର ବିଧାନ ଅଧାରେ ରହିଗଲା ଅମିତଙ୍କ ଜୀବନର ଚିତ୍ର। ଆଜି ଅମିତଙ୍କୁ ହରାଇ ସତେ ଯେମିତି କାନଭାସ ଆଖିରୁ ଲୁହ ଝରି ପଡୁଛି, ତୁଳୀ ଓ ରଙ୍ଗ ଯେମିତି ନିରବ ହୋଇ ଯାଇଛନ୍ତି। ସେ ଜଣେ ଭଲ ଚିତ୍ରଶିଳ୍ପୀ ହେବେ ବୋଲି ଲକ୍ଷ୍ୟ ନେଇ ରଙ୍ଗତୁଳୀକୁ ସାଥି କରିଥିଲେ ହେଲେ ଜୀବନ ତାଙ୍କ ହାତ ଛାଡିଦେଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ