ବାଲେଶ୍ବର: ୱାଲ୍ଡ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶା ଶିକ୍ଷକ । ବିଦେଶରେ ସମ୍ମାନିତ ହୋଇଛନ୍ତି ବାଲେଶ୍ବର ଶିକ୍ଷକ ପିତାମ୍ବର ଖିଲାର । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଲେଶ୍ବର ବାହାନଗା ବ୍ଲକ କରଞ୍ଜବିନ୍ଧା କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାପୀଠର ସହକାରୀ ଶିକ୍ଷକ ପିତାମ୍ବର ଖିଲାର ୱାଲ୍ଡ ବୁକ୍ ଅଫ୍ ରେକର୍ଡ ହାତେଇଛନ୍ତି । ଏ ନେଇ ତାଙ୍କୁ ଲଣ୍ଡନରେ ସମ୍ବର୍ଦ୍ଧିତ କରାଯାଇଛି ।
ଏହା ବି ପଢନ୍ତୁ...7 ବର୍ଷୀୟ ବାଳିକାର ଗିନିଜ ବୁକ ଅଫ ରେକର୍ଡ
ପିତାମ୍ବର ଖିଲାର ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ସଫଳତା ଅର୍ଜନ କରିଥିଲେ । ୨୮୦ ପୃଷ୍ଠାର ସମାଜର ମୂଲ୍ୟବୋଧ ବାର୍ତ୍ତା ଲେଖି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଲାଭ କରିଛନ୍ତି । ପିତାମ୍ବର ଶିକ୍ଷକତା କରୁଥିବା ବେଳେ ସମାଜକୁ ବିଭିନ୍ନ ଶିକ୍ଷଣୀୟ ବାର୍ତ୍ତା ଦେଇ ସମସ୍ତଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଓଡ଼ିଶା ସମେତ ବାହାର ରାଜ୍ୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେହିଭଳି ଚଳିତ ବର୍ଷ ଅଗଷ୍ଟ ମାସରେ ଶିକ୍ଷକ ପିତାମ୍ବର ଖିଲାର ବିଶ୍ୱ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ପୃଥିବୀକୁ ଧ୍ୱଂସ ମୁଖରୁ କିପରି ରକ୍ଷା କରାଯାଇପାରିବ ସେ ସମ୍ପର୍କରେ ସେ ଏକ ଡକୁମେଣ୍ଟାରୀ ଫିଲ୍ମ ସହ ୨୮୦ ପୃଷ୍ଠାର ଏକ ଲେଖାରେ ଅନ୍ଲାଇନ ଜରିଆରେ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ଼ସ୍ ପାଇଁ ଆବେଦନ କରିଥିଲେ । ଏହାକୁ ନେଇ ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ପୁରସ୍କୃତ କରାଯିବା ସହ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ୍ସର ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । 10 ବର୍ଷ ହେବ ୱାଲ୍ଡ ବୁକ୍ ଅଫ ରେକର୍ଡ ହାସଲ ପାଇଁ ପ୍ରୟାସ କରି ଆସୁଥିଲେ ପିତାମ୍ବର । ଯାହା ଆଜି ସଫଳ ହୋଇଛି ।
ଏହା ବି ପଢନ୍ତୁ...ଝାରସୁଗୁଡାର ଗର୍ବ ଗୁରାଂଶ; ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଅଲରାଉଣ୍ଡର
ଏହା ପରେ ଲଣ୍ଡନରେ ଏକ ବିଶ୍ୱ ସମ୍ମିଳନୀ ଆୟୋଜନ ହୋଇଥିଲା । ଯେଉଁଥିରେ ସମାଜ ପାଇଁ କାର୍ଯ୍ୟ କରି ୱାଲ୍ଡ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ବଛାବଛା କିଛି ବ୍ୟକ୍ତିଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ୭ ଗୋଟି ମହାଦେଶରୁ ୪୫ଟି ଦେଶର ପ୍ରତିନିଧି ଭାଗ ନେଇଥିଲେ । ଭାରତରୁ କେବଳ ପିତାମ୍ବର ଖିଲାର ଏଥିରେ ଅଂଶଗ୍ରହଣ କରିଥିଲେ । ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇ ନିଜ ଅଞ୍ଚଳ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ଶିକ୍ଷକ ପିତାମ୍ବର ଖିଲାରଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ପିତାମ୍ବର ଏହାର ଶ୍ରେୟ ନିଜ ଅଞ୍ଚଳବାସୀ, ଶୁଭେଚ୍ଛୁ ଏବଂ ପରିବାର ଲୋକଙ୍କୁ ଦେଇଛନ୍ତି ।
ଇଟିଭି ଭାରତ, ବାଲେଶ୍ବର