ବାଲେଶ୍ବର : କରୋନାର ଦ୍ଵିତୀୟ ଲହରକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଥିବାବେଳେ ଏଥିପ୍ରତି ନିଆଯାଉଥିବା ପଦକ୍ଷେପ ଓ କଟକଣା କୋହଳ ହେଉଥିବା ବାଲେଶ୍ବର ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ଓକିଲମାନେ ଅସନ୍ତୋଷ ପ୍ରକାଶ କରିବା ସହ କଟକଣା କଡାକଡି କରିବା ପାଇଁ ଦାବି କରିଛି ।
ଓକିଲମାନଙ୍କ ଅଭିଯୋଗ ଅନୁସାରେ, ବାଲେଶ୍ବର ଜିଲ୍ଲା ସମେତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବାବେଳେ ବିଚାର ବିଭାଗ ପକ୍ଷରୁ କୌଣସି ସତର୍କତା ମୂଳକ ପଦକ୍ଷେପ ନିଆଯାଉନାହିଁ । ବାଲେଶ୍ବର କଚେରୀ ପରିସରରେ ଥିବା କୋର୍ଟଗୁଡ଼ିକ ନିକଟରେ ସଦର ତହସିଲ, ଅବକାରୀ ବିଭାଗ କାର୍ଯ୍ୟାଳୟ, ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟ, ଯୋଗାଣ ବିଭାଗ ଅଫିସ ସମେତ ଅନ୍ୟାନ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ସରକାରୀ ଦପ୍ତର ରହିଛି । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକେ ବିଭିନ୍ନ କାର୍ଯ୍ୟରେ କଚେରୀ ହତାକୁ ଆସୁଛନ୍ତି । ମାତ୍ର କେଉଁଠି ବି ସାମାଜିକ ଦୂରତା ସମେତ ଅନ୍ୟ ମୌଳିକ କୋଭିଡ କଟକଣା ମାନୁନଥିବା ଅଭିଯୋଗ କରିଛି ଓକିଲ ସଂଘ । ଏଭଳି ସ୍ଥିତିରେ ଆଇନଜୀବୀମାନଙ୍କୁ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଅଭିଯୋଗ କରିଛନ୍ତି ଓକିଲ ସଂଘ ।
ଅନ୍ୟପକ୍ଷରେ ପୂର୍ବରୁ କରୋନା ସଂକ୍ରମଣରେ ଜିଲ୍ଲା ବାର ଆସୋସିଏସନର ପୂର୍ବତନ ସଭାପତିଙ୍କ ସମେତ ବିଚାର ବିଭାଗର କେତେକ କର୍ମଚାରୀଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଛି । ତେବେ କରୋନାରେ ମୃତ ଆଇନଜୀବୀଙ୍କ ପ୍ରତି ସରକାରଙ୍କ ପକ୍ଷରୁ ସେମିତି କିଛି ସହାୟତା ମଧ୍ୟ ଘୋଷଣା କରାଯାଇ ନାହିଁ। ସେହିପରି ସଂକ୍ରମଣ କ୍ରମାଗତ ବଢିଚାଲିଥିବାବେଳେ ଏମିତିକି କୋର୍ଟର ଭିତର ଓ ବାହାର ପରିସରକୁ ବିଶୋଧନ କରିବା ପାଇଁ ଦାବି ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ