ବାଲେଶ୍ଵର: ସହରର ଗଣେଶ୍ବରପୁର ଠାରେ ପ୍ରସ୍ତାବିତ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ଶିଥିଳତା ଓ ବସଷ୍ଟାଣ୍ଡ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ କରି ସିଭିଲ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି । ବାଲେଶ୍ଵର ସହରର ବର୍ଦ୍ଧିତ ଜନସଂଖ୍ୟା ଓ ବର୍ଦ୍ଧିତ ବସ ଚଳାଚଳକୁ ନେଇ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏକ ଉନ୍ନତ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ ଦିଆଯାଇଥିଲା । ହେଲେ ଆଜି ଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ନହୋଇଥିବା ବେଳେ ଏବେ ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବ୍ରିଟ ଯୋଜନା କରିଥିବା ଜଣାପଡ଼ିଛି । ଯାହାକୁ ନେଇ ସାଧାରଣରେ ତୀବ୍ର ହୋଇଛି ଅସନ୍ତୋଷ ପ୍ରକାଶ ପାଇଛି । ଏହାର ଫଳ ସ୍ବରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ।
ପ୍ରକାଶ ଥାଉକି, ଗତ ୨୦୧୦ ମସିହାରେ ଜାନୁଗଞ୍ଜ ଗୋଲେଇ ଛକ ନିକଟ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗଣେଶ୍ବରପୁର ମୌଜାରେ ମୁଖ୍ୟମନ୍ତ୍ରୀ ୮ ଏକର ପରିମିତ ଜମିରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହି ଜମିର ଚତୁଃପାର୍ଶ୍ବରେ ବ୍ରିଟ ଦ୍ବାରା ପାଚେରୀ ନିର୍ମାଣ ମଧ୍ୟ କରାଯାଇଥିଲା । ମାତ୍ର ତାହା ଆଜିଯାଏ ସେତିକିରେ ସୀମିତ ରହିଛି । ଅନ୍ୟପଟେ ସହଦେବଖୁଣ୍ଟା ଠାରେ ଥିବା ବସଷ୍ଟାଣ୍ଡରେ ଗୃହ ନିର୍ମାଣ ଯୋଗୁଁ ଏବେ ଏହି ରାସ୍ତାରେ ଯିବାଆସିବା ବ୍ୟାଘାତ ହେଉଛି । ତେଣୁ ସହରର ଜନସଂଖ୍ୟା ଓ ଯାତାୟତର ସୁବିଧା ପାଇଁ ଏହି ପ୍ରସ୍ତାବିତ ଶିଳାନ୍ୟାସକୁ ବାଲେଶ୍ବରବାସୀ ସ୍ବାଗତ କରିଥିଲେ । ମାତ୍ର ଚଳିତ ବର୍ଷ ଏହି ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରୁ ସାଢ଼େ ଛଅ ଏକର ଜମି ଉପରେ ବହୁତଳ ଫ୍ଲାଟ୍ ଓ ବ୍ୟବସାୟ ଗୃହ ନିର୍ମାଣ କରାଯାଇ ବ୍ୟକ୍ତିବିଶେଷଙ୍କୁ ବିକ୍ରି କରିବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ସିଭିଲ ସୋସାଇଟି ଓ ବିଭିନ୍ନ ସାମାଜିକ ସଂଗଠନ ବିରୋଧ କରି ଜିଲ୍ଲାପାଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳ ତଥା ବ୍ରିଟ୍ର ଅଧ୍ୟକ୍ଷ ଏଥିପାଇଁ ତୃତୀୟଥର ଟେଣ୍ଡର ଆହ୍ବାନ କରିଛନ୍ତି । ଜିଲ୍ଲାପାଳଙ୍କର ବାଲେଶ୍ବରବାସୀଙ୍କ ଏହି ସ୍ବାର୍ଥବିରୋଧୀ କାର୍ଯ୍ୟକୁ ସିଭିଲ ସୋସାଇଟି ଦୃଢ଼ ବିରୋଧ କରିଛି । ଅନ୍ୟପଟେ ସହଦେବଖୁଣ୍ଟାରେ ଥିବା ପୁରୁଣା ବସ୍ଷ୍ଟାଣ୍ଡକୁ ନବୀକରଣ ଆଳରେ ୮ କୋଟିରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଭିତରେ ବ୍ୟବସାୟ କେନ୍ଦ୍ର ଓ ହୋଟେଲ ପ୍ରଭୃତି ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ନିର୍ମାଣ କାର୍ଯ୍ୟ ସରିବା ପରେ ସେଠାରେ ମାତ୍ର ୩୧ଟି ବସ୍ ରହିବାର ସ୍ଥାନ ଦିଆଯାଇଛି । ବାଲେଶ୍ବରରେ ୩୦୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ କାହିଁକି ବସଷ୍ଟାଣ୍ଡ ସଙ୍କୁଚିତ କରାଯାଉଛି ବୋଲି ପ୍ରଶ୍ନ ଉଠିଛି ।
ଓଭରବ୍ରିଜରେ ଚଳାଚଳ କରୁଥିବା ବସ୍ ଚଳାଚଳ ସାଧାରଣ ଲୋକଙ୍କ ଯାତାୟତ ଓ ଜରୁରୀ ସେବାରେ ଥିବା ଆମ୍ବୁଲାନ୍ସ, ଦମକଳ ଓ ପୋଲିସ୍ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି କରୁଛି । ଏଥିଯୋଗୁଁ ଦୁର୍ଘଟଣାମାନ ଘଟୁଥିବାର ବି ନଜିର ରହିଛି । ଏଥିପାଇଁ ସହର ବାହାରେ ଓ ଜାତୀୟ ରାଜପଥ ପାର୍ଶ୍ବରେ ବସଷ୍ଟାଣ୍ଡ ପାଇଁ ଉଦ୍ଧିଷ୍ଟ ସରକାରୀ ଜମିକୁ ଘରୋଇ ମାଲିକାନାକୁ ହସ୍ତାନ୍ତର ପାଇଁ ଉଦ୍ୟମରୁ ଜିଲ୍ଲା ପ୍ରଶାସନ ନିବୃତ୍ତ ରହିବାକୁ କହିଛି ସିଭିଲ ସୋସାଇଟି ।
ଏହି ମିଳିତ ଗଣଧାରଣା ସ୍ଥଳରେ ସିଭିଲ୍ ସୋସାଇଟି ସମେତ ଶ୍ରମିକ ସଂଗଠନ ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍ଟିୟୁସି, ବସ୍ତିବାସିନ୍ଦା ସଂଘ, ଭିଟାମାଟି ସୁରକ୍ଷା କମିଟି, ରିକ୍ସା ଚାଳକ ସଂଘ, ବରିଷ୍ଠ ନାଗରିକ ମଞ୍ଚ, ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି, ଜନଜାଗରଣ ମଞ୍ଚ, ଓକିଲ ସଂଘ, ବସ୍ ମାଲିକ ସଂଘ, ପରିବହନ ଶ୍ରମିକ ସଂଘ, ଆମ୍ବେଦକର ବିଚାର ମଞ୍ଚ, ମିଳିତ ନିଶା ନିବାରଣ ଅଭିଯାନ, ଫକୀରମୋହନ ସାହିତ୍ୟ ପରିଷଦ, ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ସଂଘ, ରେମୁଣା ଗୋଲେଇ ବିକାଶ ମଞ୍ଚ ସମେତ ବହୁ ସମାଜସେବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା ସହ ସିପିଆଇ, ସିପିଆଇଏମ୍, ଫରୱାର୍ଡ଼ ବ୍ଲକ୍ ପ୍ରଭୃତି ରାଜନୈତିକ ଦଳର ପ୍ରତିନିଧୀମାନେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ବାଲେଶ୍ବର