ବାଲେଶ୍ବର: ପଥରରେ ଅନେକ ଆକର୍ଷଣୀୟ ସାମଗ୍ରୀ ତିଆରି କରୁଛନ୍ତି ପଥର ଶିଳ୍ପୀ । ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ପାଗଡାଶୁଳ ଗ୍ରାମର ଦୀନବନ୍ଧୁ ମହାନ୍ତି । ତାଙ୍କ ନିହଣ ମୁନରେ ପଥର ହେଉଛି ଜୀବନ୍ତ। ପଥରରେ ଘରୋଇ ଉପକରଣ ସାଙ୍ଗକୁ ବେଶ ସୁନ୍ଦର ସୁନ୍ଦର ବାସନକୁସନ ମଧ୍ୟ ତିଆରି କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି। "ଜୀବନରେ ଅନେକ ଘାତ ପ୍ରତିଘାତ ସହ୍ୟ କରି ଶେଷରେ ଏମିତି ଏକ ସ୍ଥାନରେ ପହଞ୍ଚି ପାରିଛି" ବୋଲି କହିଛନ୍ତି ଦୀନବନ୍ଧୁ । ତାଙ୍କର ଏଭଳି ସୁନ୍ଦର କାରୁକାର୍ଯ୍ୟ ପାଇଁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି। ନିଜେ ସ୍ୱାବଲମ୍ବୀ ହେବା ସହ ଅନେକଙ୍କୁ ରୋଜଗାର ଯୋଗାଇଛନ୍ତି ଦୀନବନ୍ଧୁ ।
ତେବେ ପିଲାଟି ଦିନରୁ ତାଙ୍କର ପଥରରେ ବିଭିନ୍ନ ସାମଗ୍ରୀ ତିଆରି କରିବାର ଇଚ୍ଛାଶକ୍ତି ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଥିବା କହିଛନ୍ତି ଦୀନବନ୍ଧୁ । ପଥର ଶିଳ୍ପୀ ଭାବେ ସେ ଯେତିକି ପରିଚିତ ଅନେକ ଲୋକଙ୍କୁ ନିଯୁକ୍ତି ଦେଇ ମଧ୍ୟ ସେ ସେତିକି ସ୍ୱାବଲମ୍ବୀ କରାଇଛନ୍ତି । ପାଗଡାଶୁଳର ୧୦ଜଣ କାରିଗରଙ୍କୁ ନେଇ ଗଢ଼ି ଉଠିଛି ତାଙ୍କ ପଥରଶିଳ୍ପର ଏକ ଚର୍ଚ୍ଚିତ ଅନୁଷ୍ଠାନ। ଯେଉଁଠାରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଥରରେ ଶିଳ୍ପୀମାନେ ଗଢି ତୋଳିଥାନ୍ତି ବିଭିନ୍ନ ପ୍ରକାର ସାମଗ୍ରୀ। ଏମିତିକି ପଥରରେ ଥାଳି, ଭୋଗ ବାଟି, ଶିଳ ପେଶା, ଶିବଲିଙ୍ଗ ଏବଂ ଗ୍ଲାସ, କପ ଆଦି ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ସେ ବେଶ ଚର୍ଚ୍ଚାରେ ଅଛନ୍ତି।
ଏହା ବି ପଢନ୍ତୁ...ମହିଳା ଶିଳ୍ପୀଙ୍କ ଅପୂର୍ବ କଳାକୃତି, ନିର୍ଜୀବ ପଥରରେ ଭରୁଛନ୍ତି ଜୀବନ
ଦୀନବନ୍ଧୁ ୫୦ବର୍ଷ ଧରି କାରିଗର ଭାବେ କାମ କରି ଆସୁଥିବାବେଳେ ପଥର ସହିତ ପଥର ହୋଇ କାମ କରିବା ସହ ୧୦ ଜଣ କାରିଗରଙ୍କୁ ରୋଜଗାର ଦେଇପାରିଛନ୍ତି। ସେ ବାଉଁଶ ବଣିଆ, ମହୁମୁହାଣ , କୁପାରି ଆଦି ସ୍ଥାନରୁ କଞ୍ଚା ମାଲ ସଂଗ୍ରହ କରି ସେଥିରୁ ବିଭିନ୍ନ ଡିଜାଇନର ସାମଗ୍ରୀ ତିଆରି କରି ବିଭିନ୍ନ ମେଳା, ମହୋତ୍ସବ, ପୂଜାପର୍ବରେ ବିକ୍ରି କରିବା ସହ କଲିକତା, କଟକ ଭଳି ସ୍ଥାନରେ ମଧ୍ୟ ବିକ୍ରି କରିଥାଆନ୍ତି । ସେହି ସବୁ ସାମଗ୍ରୀକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଦୀନବନ୍ଧୁ । ସେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି । ଦୀନବନ୍ଧୁଙ୍କର ଏଭଳି ସୁନ୍ଦର କାରୁକାର୍ଯ୍ୟ ପାଇଁ ଆଖପାଖ ଅଞ୍ଚଳରେ ସେ ଖୁବ ଜଣାଶୁଣା ଥିବାବେଳେ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।
ଇଟିଭି ଭାରତ, ବାଲେଶ୍ବର