ବାଲେଶ୍ବର: ରାଜ୍ୟରେ ସରିଛି ପକ୍ଷୀ ଗଣନା । ଚଳିତ ବର୍ଷ ବାଲେଶ୍ଵରକୁ ଆସିଛନ୍ତି ୨୯ ହଜାର ୮୫୬ଟି ପକ୍ଷୀ । ସେଥିମଧ୍ୟରୁ ଚାନ୍ଦିପୁର ବନାଞ୍ଚଳରେ ସବୁଠୁ ଅଧିକ ୧୯ ହଜାର ୪୧୪ଟି ପକ୍ଷୀଙ୍କ ଆଗମନ ହୋଇଥିବା ଜଣାପଡିଛି । ଆଇଟିଆର ଓ ତାଳସରି କ୍ରୀକ୍ରେ ୫ ପ୍ରଜାତିର ନୂତନ ପକ୍ଷୀ ଆସିଥିବା ଜଣାପଡିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପକ୍ଷୀ ଆସିଥିବା ସୂଚନା ମିଳିଛି ।
ପକ୍ଷୀ ଗଣନାରେ ବାଲେଶ୍ଵରର ବିଭିନ୍ନ ନଦୀ, ହ୍ରଦ, ମୁହାଣ, ସମୁଦ୍ର ତଟ ନିକଟରେ ବିଦେଶାଗତ ଓ ସ୍ଥାନୀୟ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ୩/୪ଜଣଙ୍କୁ ନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ପକ୍ଷୀ ଗଣନା କରାଯାଇଛି। ତେବେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପକ୍ଷୀ ବାଲେଶ୍ଵରକୁ ଆସିଛନ୍ତି । ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର, କୁଲଡ଼ିହା,ନୀଳଗିରି ଏବଂ ସୋର ବନକ୍ଷେତ୍ରର ବିଭିନ୍ନ ସ୍ଥାନରେ ଟିମ୍ ପକ୍ଷୀ ଗଣନା କରିଛନ୍ତି। ଚଳିତ ବର୍ଷ ପକ୍ଷୀ ଗଣନା ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର, କୁଲଡ଼ିହା, ନୀଳଗିରି ଏବଂ ସୋର ବନକ୍ଷେତ୍ରର ମୋଟ ୧୬ଟି ସ୍ଥାନରେ ହୋଇଛି।
ଏହା ମଧ୍ୟ ପଢ଼ନ୍ତୁ: କଟକରେ ମାଆ-ପୁଅଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ ଗିରଫ
ନୀଳଗିରିରେ ପଦ୍ମତୋଳା ହ୍ରଦ, କୁଲଡ଼ିହାରେ ସାତଘାଟି, ଖୁମକୂଟ, ରିଷିଆ ଏବଂ ବୋଗାଲିବନ୍ଧ, ଚାନ୍ଦିପୁରରେ ଆଇଟିଆର କ୍ୟାମ୍ପସ, ବୁଢାବଳଙ୍ଗ ମୁହାଣ, ବହାବଳପୁର ମୁହାଣ, ରୂପଖଣ୍ଡରେ ପକ୍ଷୀ ଗଣନା କରାଯାଇଛି । ସେହପରି କଣ୍ଟିଆଚିରା ମୁହାଣ, ଜଳେଶ୍ଵରରେ ତାଳସରି, ମୁରଲିଚଡ ଏବଂ ସୁବର୍ଣ୍ଣରେଖା ମୁହାଣ, ସୋରରେ ସିନ୍ଧୁଆ, ଶୋହଳଭଉଣୀ ଏବଂ ବଣପାରିଆ ଆଦି ସ୍ଥାନରେ ପକ୍ଷୀ ଗଣନା ହୋଇଛି । ଗତ ବର୍ଷ ମୋଟ ୨୩୧୨୦ଟି ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ମୋଟ ୨୯୮୫୬ ଟି ପକ୍ଷୀ ଆସିଥିବା ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏହା ମଧ୍ୟ ପଢ଼ନ୍ତୁ: ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବ ଡ୍ରୋନ୍, ଅର୍ଥ ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗଣନା ଅନୁଯାୟୀ ସବୁଠୁ ଅଧିକ ଚାନ୍ଦିପୁର ବନକ୍ଷେତ୍ରରେ ୧୯ ହଜାର ୪୧୪ଟି ପକ୍ଷୀ ଆସିଛନ୍ତି। ସେହିପରି ଜଳେଶ୍ଵର ବନକ୍ଷେତ୍ରରେ ୮ ହଜାର ୨୨୬ଟି, କୁଲଡ଼ିହା ବନକ୍ଷେତ୍ରରେ ୭୪୭ଟି, ନୀଳଗିରି ବନକ୍ଷେତ୍ରରେ ୬୪୧ଟି ଏବଂ ସୋର ବନକ୍ଷେତ୍ରରେ ୮୨୮ଟି ପକ୍ଷୀଙ୍କ ଆଗମନ ହୋଇଛି। ଚଳିତ ବର୍ଷ ଚାନ୍ଦିପୁର ଆଇଟିଆର ଏବଂ ଜଳେଶ୍ଵର ତାଳସରି କ୍ରୀକ୍ରେ ୫ ପ୍ରକାର ପ୍ରଜାତିର ନୂତନ ପକ୍ଷୀ ଦେଖାଦେଇଛନ୍ତି। ପକ୍ଷୀ ଗଣନା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ପକ୍ଷୀ ଗଣନାରେ ବିଶେଷଜ୍ଞଙ୍କ ସମେତ ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟ ଏବଂ ଭୁବନେଶ୍ବର ସେଞ୍ଚୁନିଆନ ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ରୀ ସାମିଲ ହୋଇଥିଲେ।
ଇଟିଭି ଭାରତ, ବାଲେଶ୍ବର