ବାଲେଶ୍ବର: ପୁଅ ବାହାଘର ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବାପାର ଜୀବନ । କାର୍ଡ ବାଣ୍ଟିବାକୁ ଆସିଥିବା ବେଳେ ତେଲ ଟ୍ୟାଙ୍କର ତଳେ ଚାପି ହୋଇ ଚାଲିଗଲା ପ୍ରାଣବାୟୁ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ଵର ସହରର ଫକୀର ମୋହନ ଗୋଲେଇ ଟ୍ରାଫିକ ପୋଷ୍ଟ ନିକଟରେ ।
ସୂଚନା ଅନୁସାରେ, ସିଂଲା ଥାନା ସାନଅସ୍ତି ଗାଁର ହରିପଦ ଦାସ ଚାଉଳ ବସ୍ତା ନେଇ ବାଇକରେ ଯାଉଥଲେ । ପଛପଟୁ ଏକ ତେଲ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ସହଦେଵଖୁଣ୍ଟା ଥାନା ପୋଲିସ ପହଞ୍ଚି ଟ୍ୟାଙ୍କର ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ହରିପଦଙ୍କ ପୁଅ ବାହାଘର ଆଗାମୀ କିଛିଦିନ ଭିତରେ ହେବାକୁ ଥିବାବେଳେ ସେ ବାଲେଶ୍ଵର କାର୍ଡ ବାଣ୍ଟିବାକୁ ଆସିଥିଲେ ବୋଲି ଜଣାପଡିଛି । ହରିପଦ ଜିଲ୍ଲା ଯୋଗାଣ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ