ବାଲେଶ୍ଵର: ଫାର୍ମହାଉସରୁ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ କାଠ ଜବତ କରିଛି ବନବିଭାଗ। ବାଲେଶ୍ଵର ଜିଲ୍ଲା ଔପଦା ରେଞ୍ଜର କୁପାରୀ ଫରେଷ୍ଟର ଅଧୀନରେ ଥିବା ପାଇକପଡା ବିଟର ଏକ ଫାର୍ମହାଉସରୁ ବନ ବିଭାଗ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ କରିଛି।
ଏହି ଫାର୍ମହାଉସରେ ବହୁ ମୂଲ୍ୟବାନ ଚୋରା କାଠ ଥିବା ନେଇ ଗ୍ରାମବାସୀ ବନବିଭାଗ ପାଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବନବିଭାଗର ଏସିଏଫ ଲକ୍ଷ୍ମଣ ପ୍ରଧାନ, ଖଇରା ଅତିରିକ୍ତ ତହସିଲଦାର ଭାନୁମତି ମାଝୀ ପ୍ରମୁଖ ଫାର୍ମହାଉସରେ ପହଞ୍ଚି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର କାଠ ଜବତ କରିଥିଲେ।
ବେଆଇନ ଭାବେ ମୟୁରଭଞ୍ଜରୁ ଏହି ଚୋରା କାଠ ଅଣାଯାଇ ଏଠାରେ ରଖାଯାଇଥିଲା। ତେବେ ଉକ୍ତ ଫାର୍ମହାଉସଟି ନିରଞ୍ଜନ ମହାନ୍ତି, ତ୍ରିଲୋଚନ ମହାନ୍ତି ଓ ବିସିକେଶନ ମହାନ୍ତିଙ୍କ ନାମରେ ଥିବା ବନବିଭାଗ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତହସିଲ ଅଫିସରୁ ଉକ୍ତ ଫାର୍ମହାଉସ ବିଷୟରେ ତଥ୍ୟ ଅଣାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ