ବାଲେଶ୍ଵର: ଦଲାଲଙ୍କ ଅକଥନୀୟ ଅତ୍ୟାତାରରୁ ମୁକ୍ତି ପାଇଥିବା 7 ଶ୍ରମିକଙ୍କ ମୁହଁରେ କୋହଭରା ଯନ୍ତ୍ରଣାର ଲୁହଭିଜା କାହାଣୀ । ଶ୍ରମ ଅଧିକାରୀଙ୍କ ସହାୟତାରେ ବାଲେଶ୍ବର ନୀଳଗିରିର ଏହି 7 ଶ୍ରମିକ ନାଗାଲାଣ୍ଡରୁ ଉଦ୍ଧାର ହୋଇଛନ୍ତି । ସେଠାରେ ସେମାନଙ୍କୁ କାମ ନାଁରେ କିପରି ଯନ୍ତ୍ରଣା ଦିଆଯାଉଥିଲା ତାହାକୁ ସେମାନେ ନିଜେ ବୟାନ କରିବା ସହ ଦେଖାଇଛନ୍ତି ।
କେନ୍ଦ୍ରାପଡାର ରଞ୍ଜନ ଜେନା ନାମକ ଠିକାଦାର ନୀଳଗିରିର ଜଣେ ଦଲାଲ ସହାୟତାରେ ସେଠାକାର ବିଭିନ୍ନ ଅଞ୍ଚଳରୁ ୭ ଶ୍ରମିକଙ୍କୁ କୋଲକାତାରେ କାମ କରାଇବାକୁ କହିଥିଲା । ହେଲେ ସେ କୋଲକତା ନୁହେଁ ବରଂ ନାଗାଲାଣ୍ଡ ନେଇଯାଇଥିଲେ । ସେଠାରେ ବିଭିନ୍ନ ପ୍ଲାଏ ବୋର୍ଡ କମ୍ପାନୀରେ କାମରେ ଲଗାଇଥିଲେ । 8 ଘଣ୍ଟା ବଦଳରେ 12ରୁ 15 ଘଣ୍ଟା ଖଟାଇବା ସହ ମୁହଁ ଖୋଲିଲେ ନିର୍ଯାତନା ଦେବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ସୁଯୋଗ ଦେଖି ଘରକୁ ଜଣାଇବା ପରେ ପରିବାର ଲୋକେ ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରି ଉଦ୍ଧାର ହୋଇଥିବା ଜଣାପଡିଛି । ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ନୀଳଗିରି ଶ୍ରମ କାର୍ଯ୍ୟାଳୟରେ ଅଣାଯାଇ ପଚରାଉଚୁରା କରାଯାଉଛି । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ଶିଶୁ ଶ୍ରମିକ ରହିଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି ।
ତେବେ ଗତ କିଛିଦିନ ପୂର୍ବେ ନୀଳଗିରିରୁ ଶ୍ରମିକ ଚାଲାଣ ବେଳେ ଗୋଟିଏ ବସରୁ ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ନୀଳଗିରିରେ ଆଦିବାସୀ ଓ ବେକାରୀ ସମସ୍ୟା ଥିବାରୁ ଏହାର ସୁଯୋଗ ନେଇ ଦଲାଲମାନେ ଏପରି ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ