ବାଲେଶ୍ବର: ସୋମବାର ବଜ୍ରାଘାତରେ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ 4 ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ଜଣେ ମୃତକ କମର୍ଦ୍ଦା ଥାନା ସିଆରୁଇ ପଞ୍ଚାୟତର କଲ୍ୟାଣପୁର ଗ୍ରାମର ସୁଜୟ କୁମାର ଦାସ ବୋଲି ଜଣାପଡିଛି।
ସେହିପରି ଜିଲ୍ଲା ରାଇବଣିଆ ଥାନା ବରଡିଆ ପଞ୍ଚାୟତର ଗୋକୁଣ୍ଡି ଗ୍ରାମରେ ବଜ୍ରାଘାତରେ ଜଣେ ମହିଳା ମୃତ ଘଟିଥିବା ବେଳେ ବସ୍ତା ଥାନା ଦୁଧହସା ପଞ୍ଚାୟତର ଦୁଲାରବାଟି ଗାଁର କାଳୀ ଚରଣ ରାଉଳ (୨୮) ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।
ଅନ୍ୟପଟେ ନୀଳଗିରି ଉପଖଣ୍ଡର ବରହମପୁର ଥାନା ଅଧିନ ସାତଖାଲିଆ ଗ୍ରାମର ପରାମଣୀ ସିଂ ନିକଟସ୍ଥ ହାଟରୁ ଫେରୁଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ 4ଟା ସମୟରେ କମର୍ଦ୍ଦା ଥାନା ସିଆରୁଇ ପଞ୍ଚାୟତ କଲ୍ୟାଣପୁର ଗ୍ରାମର ସୁଜୟ କୁମାର ଦାସ ନିଜ ବିଲରେ ମୂଲିଆମାନଙ୍କୁ ନେଇ ଧାନ ରୋଉଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ମୂଲିଆମାନେ ସାମାନ୍ୟ ଆହତ ହୋଇଥିଲେ ।
ଏହାପରେ ସୁଜୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ