ବଲାଙ୍ଗୀର: ଗାଁ ଦାଣ୍ଡରେ ବୀଭତ୍ସ ହତ୍ୟାକାଣ୍ଡ । ପଥରରେ ଛେଚି ଯୁବକଙ୍କ ହତ୍ୟା । ଘରୁ ଡାକି ନେଇ ଯୁବକକୁ ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ସଇଁତଳା ଥାନା ଅନ୍ତର୍ଗତ ଦେଓଗାଁରେ । ମୃତକ ଜଣକ ସେହି ଗାଁର ବୁଦ୍ଧ ଦେବ ନାଗ ବୋଲି ଜଣା ପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି(ରବିବାର) ରାତିରେ କିଛି ଯୁବକ ବୁଦ୍ଧ ଦେବଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ଆଜି ସକାଳେ ବୁଦ୍ଧ ଦେବ ନାଗର ମୃତଦେହ ଆଜି ସକାଳେ ଗାଁ ମୁଣ୍ଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ମୃତକଙ୍କ ପରିବାର ଓ ଗାଁ ଲୋକେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ସାଇଣ୍ଟିଫିକ ଟିମ୍ ବଲାଙ୍ଗୀର ଆସି ଦେଓଗାଁରେ ତଦନ୍ତ କରୁଛନ୍ତି । ଘଟଣା ସ୍ଥଳରେ ଟିଟିଲାଗଡ ଏସ୍ଡିପିଓ ଅଙ୍କିତା କୁମ୍ଭାର ନିଜେ ଉପସ୍ଥିତ ରହି ଏହାର ତଦନ୍ତ କରୁଛନ୍ତି । ଘଟଣା ସ୍ଥଳରୁ ରକ୍ତ ଲାଗିଥିବା ପଥର, ଜୋତା ଇତ୍ୟାଦି ପୋଲିସ ଜବତ କରି ଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ସେପଟେ ମୃତକଙ୍କ ମାଆ ମହିମା ନାଗ କହିଛନ୍ତି , "ରାତିରେ ଖାଇ ସାରିବା ପରେ ମୋ ପୁଅ ଘରେ ଥିଲା । ଏହି ସମୟରେ କିଛି ଯୁବକ ଆସି ତାଙ୍କୁ ସାଙ୍ଗରେ ଡାକି ନେଇଥିଲେ। ଆଜି ସକାଳୁ ମୁଁ ଜଙ୍ଗଲକୁ ଯାଇଥିବା ବେଳେ ଗାଁ ଲୋକେ ମୋତେ ମୋ ପୁଅର ମୃତଦେହ ହସ୍ପିଟାଲ ନିକଟରେ ପଡିଥିବା ସୂଚନା ଦେଇଥିଲେ। ମୋ ପୁଅକୁ ହତ୍ୟା କରାଯାଇଛି , ଏହି ଘଟଣାରେ ପୋଲିସ ତଦନ୍ତ କରି ଦୋଷୀ ମାନଙ୍କୁ ଗିରଫ କରୁ ।"
ଏହା ମଧ୍ୟ ପଢନ୍ତୁ-ପାକିସ୍ତାନ ଏଜେଣ୍ଟର ଓଡିଶା କନେକ୍ସନ୍: ଖୋଲିବ ଗୁମର, ୩ଦିନିଆ ରିମାଣ୍ଡରେ ଅଭିଯୁକ୍ତ
ଏହି ହତ୍ୟା ଘଟଣାକୁ ନେଇ ଗାଁରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରେମ ଜନିତ କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ପୋଲିସ ଏହି ଘଟଣଆରେ ତଦନ୍ତ ଜାରି ରଖିଥିବା ବେଳେ ଆଗକୁ ସତ ସାମ୍ନାକୁ ଆସିବ । ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଖୋଜୁଛି ପୋଲିସ । ମୃତ ଯୁବକଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର