ବଲାଙ୍ଗୀର: ଜିଲ୍ଲାର ଜଣେ ଯୁବ ଇଞ୍ଜିନିୟର ନିଖୋଜ ହେବାର ସାତ ଦିନ ବିତିଥିଲେ ସୁଦ୍ଧା ମିଳୁନି ପତ୍ତା । ଇଞ୍ଜିନିୟର ଜଣକ ବରଗଡ଼ରୁ ବିଜେପୁର ପର୍ଯ୍ୟନ୍ତ ଯାଇଥିବା ବେଳେ ସେଠାରୁ ସେ ନିଖୋଜ ହୋଇଥିଲେ । ଏହାପରେ ଚିନ୍ତାଗ୍ରସ୍ତ ପରିବାର ଆଜି(ମଙ୍ଗଳବାର) ସିଥିଲ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ SPଙ୍କ ଦ୍ବାରସ୍ଥ ହୋଇଛନ୍ତି ।
ବଲାଙ୍ଗୀର ଆଗଲପୁର ଗ୍ରାମର ନିଖୋଜ ଯୁବ ଇଞ୍ଜିନିୟର ପବିତ୍ର କୁମାର ମେହେର ନିଜ ସ୍କୁଟିରେ ଗତ 22 ତାରିଖରେ ବରଗଡକୁ ବାହାରିଥିଲେ । ସେହିପରି ବରଗଡରୁ ବିଜେପୁର ପର୍ଯ୍ୟନ୍ତ ସେ ଯାଇଥିବା ବେଳେ ସେଠୁ ସେ ନିଖୋଜ ହୋଇ ଯାଇଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେମାନେ ବହୁ ଖୋଜାଖୋଜି କରିବା ପରେ ବରଗଡ଼ ଓ ବଲାଙ୍ଗୀର ପୋଲିସ ପାଖରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ଏହି ଘଟଣାକୁ ୭ ଦିନ ବିତିଥିଲେ ସୁଦ୍ଧା ପୋଲିସ ତାଙ୍କୁ ଖୋଜିପାରିନାହିଁ । ସେପଟେ ତାଙ୍କର କୌଣସି ଶତ୍ରୁ ନ ଥିବା ବେଳେ କେହି ତାଙ୍କୁ ଅପହରଣ କରିଥିବାର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ଏଯାବତ୍ ସେ ଜୀବିତ ନା ମୃତ ତାକୁ ନେଇ ମଧ୍ୟ ସେମାନେ ସନ୍ଦେହ କରିଛନ୍ତି । ବଲାଙ୍ଗୀର ଏସପିଙ୍କ ଠାରେ ସେମାନେ ତାଙ୍କୁ ଖୋଜି ବାହାର କରିବାକୁ ନିବେଦନ କରିଛନ୍ତି । ସୂଚନା ଅନୁସାରେ ନିଖୋଜ ଥିବା ଯୁବ ଇଞ୍ଜିନିୟର ପବିତ୍ର ଭୁବନେଶ୍ବରରେ ରହୁଥିଲେ। କୋରୋନା ଲକଡାଉନରେ ସେ ଘରକୁ ଫେରି ଏଠି ଛୋଟ ଧନ୍ଦା କରିବାର ନିଷ୍ପତ୍ତି ନେଇଥିଲେ । ତେବେ ଏଥିପାଇଁ ସେ ବରଗଡ ଯିବା ବାଟରେ ନିଖୋଜ ହୋଇଥିବାର ପରିବାର ଲୋକେ କହିଛନ୍ତି । ବରଗଡରୁ ବିଜେପୁର ପର୍ଯ୍ୟନ୍ତ ବିଭିନ୍ନ ସିସିଟିଭି ଭିଡିଓରେ ସେ ଦେଖା ଯାଇଥିବାର ଜଣାପଡ଼ିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ