ବଲାଙ୍ଗୀର: ଆଧୁନିକ ଯୁଗର ପିଲାଙ୍କ ପାଇଁ ଖେଳଣା ପାଲଟିଛି ମୋବାଇଲ ଓ ଭିଡିଓ ଗେମ । କମ୍ପ୍ୟୁଟର ଓ ମୋବାଇଲରେ ବିଭିନ୍ନ ଗେମ ଖେଳିବା ଏମାନଙ୍କ ନିଶା । କିନ୍ତୁ ଏପରି ପିଲାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବିସ୍ମୟ ବାଳକ ।
ଅନ୍ୟମାନେ ଯେତେବେଳେ କେବଳ ଗେମ ଖେଳିବା କଥା ଭାବୁଛନ୍ତି, ସେ ସେହି ଗେମକୁ ତିଆରି କରିବାରେ ଲାଗିଛନ୍ତି । ମାତ୍ର 6 ବର୍ଷରେ ସମସ୍ତଙ୍କୁ କରିଛନ୍ତି ଚକିତ । ସୃଷ୍ଟି କରିଛନ୍ତି 150ରୁ ଅଧିକ ମୋବାଇଲ ଆପ ଓ ଗେମ । ଗେମ ଡିଜାଇନ ସହ ରୋବଟ ନିର୍ମାଣ । ଏପରିକି ରୋବଟକୁ ପ୍ରୋଗ୍ରାମ ମଧ୍ୟ କରିଛନ୍ତି । ଏତେ କମ ବୟସରୁ ଟେକ୍ନୋଲୋଜିରେ ନିପୁଣ ।
କଥାରେ ଅଛି ତୁଳସୀ 2 ପତ୍ରରୁ ବାସେ । ଛୋଟ ପିଲାର କାମକୁ ଚିହ୍ନିଲେ ମୁଖ୍ୟମନ୍ତ୍ରୀ ନବୀନ । ଟ୍ବିଟରେ ମିଳିଛି ତାରିଫ । ଆମେ କହୁଛୁ ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକଙ୍କ କାହାଣୀ ।
ବାପାଙ୍କଠାରୁ ପ୍ରେରଣା ପାଇଥିଲେ ରମଣ । ପିଲାବେଳୁ କମ୍ପ୍ୟୁଟର ପ୍ରତି ଥିଲା ଅହେତୁକ ଦୁର୍ବଳତା । ସାଙ୍ଗ ପିଲା ପାଠ ପଢୁଥିବାବେଳେ ସେ କରୁଥିଲେ କମ୍ପ୍ୟୁଟରର ଜଟିଳ ପ୍ରୋଗ୍ରାମିଙ୍ଗ ଓ କୋଡିଙ୍ଗ । ପିଲାର ନିଶା ଦେଖି ବାପା ମାଆ ଖଞ୍ଜି ଦେଇଥିଲେ ଅନଲାଇନ ଶିକ୍ଷା । ଆଉ ମାତ୍ର 6 ମାସରେ ଆସିଥିଲା ରେଜଲ୍ଟ । ନିଜ ବସୟର ପିଲାଙ୍କ ଲାଗି ସେ ତିଆରି କରିଥିଲେ ଦୁଃସାହସିକ ଗେମ ଓ ଶତାଧିକ ମୋବାଇଲ ଆପ । ପିଲାର ଅସାଧ୍ୟ କାମରେ ଗର୍ବିତ ବାପା-ମାଆ । ଭବିଷ୍ୟତରେ ବୈଜ୍ଞାନିକର ସ୍ବପ୍ନ ଦେଖୁଥିବା ଛୋଟ ପିଲାଟିକୁ କେବଳ ଉଚିତ ମାର୍ଗଦର୍ଶନର ଆବଶ୍ୟକ ।
ନାମରେ ବୈଜ୍ଞାନିକ ରମଣଙ୍କ ନାମ । ଭବିଷ୍ୟତରେ ସେ ନିଜେ ଆଉ ଏକ ରମଣ ହେବାର ସମ୍ଭାବନା ନିଃସନ୍ଦେହ ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ